ୱାଶିଂଟନ୍‌: ସବୁ ଘାତ ପ୍ରତିଘାତ ଭିତରେ ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି । କରୋନା ମହାମାରୀ ଯୋଗୁ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ଆମେରିକା ଅର୍ଥନୀତିର ସୁଧାର ଆଣିବାକୁ ସେ ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।

Advertisment

ଜୋ- ବାଇଡେନ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ । ଏହି ପ୍ୟାକେଜ ଲାଗୁ ହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ । ଏହାସହ ଏହି ସହାୟତା ପ୍ୟାକେଜରେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବି ସହାୟତା ଯୋଗାଇ ଦିଆଯିବ। ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ୍ ନାମ ଦିଆଯାଇଛି ।

କହି ରଖୁ କି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଏବେ ବି ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ୍ ଏବେ ବି ତାଙ୍କ ପରାଜୟକୁ ସ୍ୱୀକାର କରି ନାହାନ୍ତି । ଏନେଇ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ । ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ହେଲେ ସେ ଯଦି ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।