କରୋନା ମୁକାବିଲା: ଦେଶ ପାଇଁ ଏହି ୫ ଜିଲ୍ଲା ପାଲଟିଛି ଚିନ୍ତାର କାରଣ ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ଏହି ୫ ଜିଲ୍ଲାରେ

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ମୁକାବିଲା ପାଇଁ ଭାରତ ସରକାର ଏବେ ସବୁ କଳ, ବଳ ଓ କୌଶଳ ଏକ କରି ଦେଇଥିବା ଦେଶର ୫ଟି ଜିଲ୍ଲା ଏବେ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ, ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୫ଟି ଜିଲ୍ଲାରେ ଅଛନ୍ତି ୫୦ପ୍ରତିଶତ ଆକ୍ରାନ୍ତ । ନୀତି ଆୟୋଗ ମଧ୍ୟ ଏଥିନେଇ ନିଜର ଗଭୀର ଚିନ୍ତା ପ୍ରକଟ କରିଛି। କରୋନା ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖା ୬୨ହଜାର ଅତିକ୍ରମ କରିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଟି ଜିଲ୍ଲାରୁ ଅଛନ୍ତି ୬୪ପ୍ରତିଶତ ସଂକ୍ରମିତ । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ।

ତେବେ ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ପ୍ରତିଶତ ରହିଛନ୍ତି କେବଳ ୫ଟି ଜିଲ୍ଲାର । କୋଭିଡ୍-୧୯ ସର୍ଭେ ଉଦ୍ଦେଶ୍ୟରେ ସମସ୍ତ ଦିଲ୍ଲୀ ଏବଂ ସମସ୍ତ ମୁମ୍ବାଇ ପ୍ରତ୍ୟେକଙ୍କୁ ଏକ ଜିଲ୍ଲା ଭାବରେ ବିବେଚନା କରାଯାଇଛି । ତେଣୁ ଦିଲ୍ଲୀ, ପୁନେ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ୫ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖା ୫୦ ପ୍ରତିଶତ ରହିଥିବା କହିଛି ନୀତିଆୟୋଗ । ଆଉ ଏହି ୫ଟି ଜିଲ୍ଲା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସବୁ ଅଂଚଳ ଗୁଡ଼ିକରେ ନିଷିଦ୍ଧାଂଚଳକୁ କଡାକଡା ଭାବେ ପାଳନ କରାଯିବା ସହ ଅଧିକ ଟେଷ୍ଟ କରାଯାଇ କଂଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉଚିତ ବୋଲି କହିଛନ୍ତି ଅମିତାଭ କାନ୍ତ ।

ସବୁଠାରୁ ବଡ଼ କଥା ହେଲା କି, ଦେଶରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ବାଇରୁ ରହିଛନ୍ତି ୧୭ପ୍ରତିଶତ, ଦିଲ୍ଲୀରୁ ୧୧ ଦଶମିକ ୩, ଅହମଦାବାଦରୁ ୯ଦଶମିକ ୮, ଚେନ୍ନାଇରୁ ୫ପ୍ରତିଶତ ଓ ପୁନେରୁ ୩ଦଶମିକ ୪ପ୍ରତିଶକ ସଂକ୍ରମିତ ରହିଛନ୍ତି । ସେପଟେ ଚେନ୍ନାଇରେ ସବୁଠାରୁ କମ୍ ୧୨ଦଶମିକ ୩ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ଅଧିକ ୩୨ଦଶମିକ ୩ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର