ନୂଆଦିଲ୍ଲୀ: ବିମାନଯାତ୍ରା ବେଳେ ଛାନିଆ ହୋଇ ପଡୁଥିବା ବ୍ୟକ୍ତିମାନଙ୍କ ମନର ଚଞ୍ଚଳତା କମ୍ କରାଇବା ପାଇଁ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ପୋର୍ଟ ଗୋଟାଏ କୌତୁକିଆ ଜନ୍ତୁକୁ ଚାକିରି ଦେଇଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ସମ୍ବାଦପତ୍ର ରିପୋର୍ଟ କରିଛି।
‘ଡ୍ୟୁକ୍ ଏଲିଙ୍ଗ୍ଟନ୍ ମୋରିସ୍’ ନାମକ ଏହି ଜନ୍ତୁକୁ ବିମାନବନ୍ଦରର ‘ୱାଗ୍ ବ୍ରିଗେଡ୍’ରେ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ଏୟାର୍ପୋର୍ଟ ଲେଖିଛି ଯେ, ଆମର ନୂତନତମ ‘ୱାଗ୍ ବିଗ୍ରେଡ୍’ ସଦସ୍ୟ ‘ଡ୍ୟୁକ୍ ଏଲିଙ୍ଗ୍ଟନ୍ ମୋରିସ୍ଙ୍କୁ ‘ଘୁଡୁଘୁଡ଼ିଆ’ (ଜନ୍ତୁଟି ଶୋଇଥିବା ବେଳେ ଏମିତ ଶବ୍ଦ କରିଥାଏ) ସ୍ବାଗତ। ଏଥି ସହିତ ଏହି ୧୪ ବର୍ଷିୟ କଳା ଓ ଧଳାରଙ୍ଗର ଜନ୍ତୁଟିର ଫଟୋ ବି ଟୁଇଟର୍ରେ ସେୟାର୍ କରାଯାଇଛି। ସେ ଗୋଟାଏ ଛୋଟ ପାଇଲଟ୍ ଟୋପି, ସାର୍ଟ ଓ କୋଲାର୍ ପିନ୍ଧିଛି।
/sambad/media/post_attachments/wp-content/uploads/2023/06/cat.jpg)
୨୦୧୩ରେ ସଂସ୍ଥାପିତ ‘ୱାଗ୍ ବ୍ରିଗେଡ୍’ ଯାତ୍ରୀମାନଙ୍କର ଯାତ୍ରାକୁ ଅଧିକ ଉପଭୋଗ୍ୟ କରିବା ଲାଗି ‘ଟର୍ମିନାଲ୍’କୁ ତାଲିମପ୍ରାପ୍ତ ଜୀବଜନ୍ତୁଙ୍କୁ ଆଣିଥାଏ ବୋଲି ବିମାନବନ୍ଦର କହିଛି। ଏମାନଙ୍କୁ ଦେଖି ଯାତ୍ରୀମାନଙ୍କ ମନରେ ଥିବା ଯାତ୍ରାଜନିତ ଉତ୍କଣ୍ଠା ହ୍ରାସ ପାଇ ମିଜାଜ୍ ସ୍ବାଭାବିକ ହୋଇଥାଏ।
କିନ୍ତୁ, କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘ ଦିନଧରି ଏହି ବ୍ୟବସ୍ଥା ବନ୍ଦ ଥିଲା। ଏବେ ପୁଣି ଏହାକୁ ଚାଲୁ କରାଯାଇଥିବା କଥା ‘ୟୁଏସ୍ଏ ଟୁଡେ’ ରିପୋର୍ଟ କରିଛି। ପ୍ରାରମ୍ଭରେ ଏହି ବ୍ୟବସ୍ଥାରେ କେବଳ କୁକୁରମାନଙ୍କୁ ନିଯୁକ୍ତି ମିଳୁଥିଲା। କିନ୍ତୁ, ଏବେ ବିରାଡ଼ି, ଠେକୁଆ ଏବଂ ଘୁଷୁରିମାନଙ୍କୁ ନିଯୁକ୍ତି ମିଳୁଛି।
ସୂଚନାଯୋଗ୍ୟ, ‘ୱାଗ୍ ବ୍ରିଗେଡ୍’ରେ ସଦ୍ୟ ନିଯୁକ୍ତି ପାଇଥିବା ଜନ୍ତୁଟି ହେଉଛି ଗୋଟାଏ ତାଲିମପ୍ରାପ୍ତ ବିରାଡ଼ି।