ମୁମ୍ବାଇ: ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଭୁଶୁଡିବା ପରେ ସାଂସଦ ନବନୀତ୍ ରାଣା ତାଙ୍କୁ ସମାଲୋଚନା କରିଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବାକୁ ଘୋଷଣା କରି ବିବାଦରେ ଛନ୍ଦି ହୋଇଥିଲେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣା। ଦୁହିଁଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିଥିଲା। ହେଲେ ପରେ ଦୁହିଁଙ୍କୁ କିଛି ସର୍ତ୍ତ ସହ ଜାମିନ ମିଳିଥିଲା। ଏବେ ସେମାନଙ୍କୁ ଜେଲ ପଠାଇବା ପଛରେ ହାତ ଥିବା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ନବନୀତ୍ ନିଜର ଖୁସି ଜାହିର କରିଛନ୍ତି।

Advertisment

ସେ କହିଛନ୍ତି ଯେ, ଉଦ୍ଧବ ଠାକରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲୋଭ କରିଲେ। ନହେଲେ ୪୦ଜଣ ବିଧାୟକ ବିଦ୍ରୋହୀ ହେବା ପରେ ତାଙ୍କୁ ଇସ୍ତଫା ଦେବାର ଥିଲା। ଶିବସେନା ବାଲାସାହେବ ଠାକରେଙ୍କ ଦ୍ବାରା ଗଠିତ ହୋଇଥିଲା, କିନ୍ତୁ ଉଦ୍ଧବ ଠାକରେ ତାଙ୍କର ୫୬ବର୍ଷର କଠିନ ପରିଶ୍ରମକୁ ବୃଥା କରିଦେଇଛ୍ତି। ଉଦ୍ଧବ ଠାକରେଙ୍କର ଅହଙ୍କାର ଯୋଗୁଁ ଦଳର ଏଭଳି ଅବସ୍ଥା ହୋଇଛି। କେବଳ ସଞ୍ଜୟ ରାଉତ, ଅନିଲ ପରବ ଏବଂ ଆଦିତ୍ୟ ଠାକରେ ହିଁ ଉଦ୍ଧବ ଠାକରେଙ୍କ ସମର୍ଥନରେ ଅଛନ୍ତି। ସେମାନେ ବି ନିଜ ଇଚ୍ଛାରେ ନୁହେଁ ବାଧ୍ୟ ହୋଇ ଉଦ୍ଧବଙ୍କ ସହ ଅଛନ୍ତି।

ଏହା ପୂର୍ବରୁ ଉଦ୍ଧବ ସରକାରଙ୍କ ଭୁଶୁଡିବା ଅବସ୍ଥାକୁ ଆସିଥିବ‌ା ସମୟରେ ନବନୀତ କହିଥିଲେ ଯେ, ମୁଁ ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ୧୧ଥର ହନୁମାନ ଚାଳିଶା ପଢ଼ିଛି। କେବଳ ପ୍ରଭୁ ହନୁମାନ ହିଁ ମହାରାଷ୍ଟ୍ରକୁ ବଞ୍ଚାଇପାରିବେ ବୋଲି ମୁଁ ଆଶା କରୁଛି। ଅନ୍ୟ କାହା ପାଇଁ ନୁହେଁ ତାଙ୍କ କର୍ମ ପାଇଁ ହିଁ ଉଦ୍ଧବ ସରକାର ଗାଦିଚ୍ୟୁତ ‌ହେବେ। ନବନୀତଙ୍କ ଏହି କଥା ଆଜି ସତ ହୋଇଛି। କଙ୍ଗନା ଓ ନବନୀତଙ୍କ ଅନୁଯାୟୀ ଉଦ୍ଧବ ଠାକରେଙ୍କ ଉପରେ ନାରୀର ଅଭିଶାପ ପଡ଼ିଛି।