ବିଶ୍ୱର ମୋଟ ସାମରିକ ବଜେଟର ୬୦% ଏହି ୫ଟି ଦେଶ ଖର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ : ବିଶ୍ୱର କୋଟି କୋଟି ଲୋକ ଦାରିଦ୍ର୍ୟ ଅନାହାରରେ ସଢୁଥିବାବେଳେ ଦେଶମାନଙ୍କର ମିଲିଟାରୀ ବା ସାମରିକ ବଜେଟ ବଢିଚାଲିଛି । ଯେତିକି ଅର୍ଥ ସାମରିକ ବଜେଟରେ ବ୍ୟୟ ହେଉଛି ସେତିକି ଅର୍ଥରେ ବିଶ୍ୱର ସବୁ ଲୋକଙ୍କ ଦାରିଦ୍ର୍ୟ ଦୂରକରିହେବ । କିନ୍ତୁ ସାମରିକ ବଜେଟ କମିିବା ବଦଳରେ ବଢିଚାଲିଛି । ବିଶ୍ୱର ମାତ୍ର ୫ଟି ଦେଶ ମୋଟ ସାମରିକ ବ୍ୟୟର ୬୦ ପ୍ରତିଶତ ବ୍ୟୟ କରୁଛନ୍ତି ।

ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ତରଫରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୭ରେ ବିଶ୍ୱର ସାମରିକ ବଜେଟ ପ୍ରାୟ ୧.୧ ପ୍ରତିଶତ ବଢି ୧.୭୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ପ୍ରତିରକ୍ଷା ବ୍ୟୟ ଦୃଷ୍ଟିରୁ ଆମେରିକା ନଂ୧ ସ୍ଥାନରେ ଥିବାବେଳେ ତାପଛକୁ ଚୀନ, ସାଉଦି ଆରବ ଓ ଋଷିଆ ଅଛନ୍ତି । ୫ମ ସ୍ଥାନରେ ଭାରତ ରହିଛି । ଏହି ୫ଟି ଦେଶ ବିଶ୍ୱର ମୋଟ ସାମରିକ ବଜେଟର ୬୦ ପ୍ରତିଶତ ବ୍ୟୟ କରୁଛନ୍ତି ।


୨୦୧୭ରେ ଭାରତର ପ୍ରତିରକ୍ଷା ବ୍ୟୟ ୫.୫ ପ୍ରତିଶତ ବୃଦ୍ଧି ପାଇ ୬୩.୯ ବିଲିୟନ ଡଲାର ଛୁଇଁଥିଲା । ଅନ୍ୟପକ୍ଷରେ ଆମେରିକାର ପ୍ରତିରକ୍ଷା ବଜେଟ ୬୧୦ ବିଲିୟନ ଡଲାର ଓ ଚୀନର ପ୍ରତିରକ୍ଷା ବଜେଟ ୨୨୮ ବିଲିୟନ ରହିଛି । ଋଷିଆ ୬୬.୩ ବିଲିୟନ ଡଲାର ବ୍ୟୟ କରୁଥିବାବେଳେ ସାଉଦି ଆରବ ୬୯.୪ ବିଲିୟନ ଡଲାର ନିଜ ମିଲିଟାରୀ ରେ ବ୍ୟୟ କରୁଛି ।

ବିଶ୍ୱରେ ଆତଙ୍କବାଦର ପ୍ରସାର, ଦେଶ ଦେଶ ମଧ୍ୟରେ ସଂପର୍କ ଖରାପ ହେବା ଫଳରେ ଦେଶମାନେ ନିଜର ସାମରିକ ବ୍ୟୟ ବଢାଉଛନ୍ତି । ଉଦାହରଣସ୍ୱରୂପ ଭାରତ ନିଜର ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ପଟୁ ବିପଦ ଆଶଙ୍କା କରୁଥିବାରୁ ନିଜର ପ୍ରତିରକ୍ଷା ବଜେଟ ବଢାଇଚାଲିଛି ।

ସମ୍ବନ୍ଧିତ ଖବର