କିଭ: ରଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି। ୟୁକ୍ରେନରେ ଏହି ଯୁଦ୍ଧ ପରିସ୍ଥତି ମଧ୍ୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରି ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀମାନେ ପ୍ରତିଦିନ ଭିଡିଓ ଜରିଆରେ ନିଜନିଜ ଅସୁବିଧାକୁ ସେୟାର କରୁଛନ୍ତି।

Advertisment

ଏଭଳି ଏକ ଭିଡିଓ କ୍ଲିପରେ ୟୁକ୍ରେନର ରାଜଧାନୀ କିଭରେ ଫଶି ରହିଥିବା ଉତ୍ତରପ୍ରଦେଶ ଲକ୍ଷ୍ନୌର ଗାରିମା ମିଶ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।

ଏଥିସହିତ ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ୟୁକ୍ରେନରେ ରଷ ସେନା ଭାରତୀୟ ଛାତ୍ରୀଙ୍କୁ ଉଠାଇ ନେଇଛି। ଆଉ ଉକ୍ତ ଛାତ୍ରୀଙ୍କୁ ‌କେଉଁଆଡେ ଉଠାଇ ନେଇଛି ସେ ନେଇ କୌଣସି ସୂଚନା ନାହିଁ। ‌ରଷ ସେନା ଚାରିପାଖରୁ ଘେରି ଯାଇଛି। କ୍ରମାଗତ ଭାବେ ବୋମା ବିସ୍ଫୋରଣ କରି ଚାଲିଛି। କେଉଁ ମୁହୂର୍ତ୍ତରେ କ’ଣ ହେବ ସେକଥା କେହି ଜାଣି ନାହାନ୍ତି।

ତେବେ ଏହି ଭିଡିଓ ଫେବ୍ରୁଆରି ୨୭ ତାରିଖ ଦିନ ଟ୍ୱିଟରରେ ଅପଲୋଡ ହୋଇଛି। ତେବେ ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ମାର୍ଚ୍ଚ ୧ ତାରିଖ ଦିନ ସବୁ ଭାରତୀୟ କିଭ୍ ଛାଡି ସାରିଥିବାର ଘୋଷଣା କରିଥିଲେ।