ଦେଶର ସୁରକ୍ଷା ପାଇଁ ଏକେ-୪୭ ବନ୍ଧୁକ ଚଲାଇବା ଶିଖୁଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି। ଏହା ଫଟୋରେ ଦେଖିବାକୁ ମିଳୁଛି ଯେ ଜଣେ ୭୯ ବର୍ଷ ବୟସ୍କା ବୃଦ୍ଧ ମହିଳା ଏକେ-୪୭ ବନ୍ଧୁକ ଧରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ପ୍ରଶ୍ନ କରୁଛନ୍ତି, ଏହି ବୃଦ୍ଧା ମହିଳାଙ୍କୁ ଏହି ବୟସରେ ଏକେ-୪୭ ବନ୍ଧୁକ ଉଠାଇବା କାହିଁକି ଆବଶ୍ୟକ ପଡ଼ିଲା?

ପ୍ରକାଶିତ ରିପୋର୍ଟ ମୁତାବକ, ଋଷର ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ଦେଖି ୟୁକ୍ରେନ ନାଗରିକମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧରେ ସାମିଲ ହେବା ପାଇଁ ଅସ୍ତ୍ରଶସ୍ତ୍ର ଚାଳନା ଉପରେ ଶିକ୍ଷା ଦିଆଯାଉଛି। ଏହି ଫଟୋ ସେହି ସମୟର।

ୟୁକ୍ରେନ ସରକାର ନିଜର ନାଗରିକମାନଙ୍କୁ ତାଲିମ ଦେଉଛନ୍ତି। ଯେଉଁଥିରେ ସାଧାରଣ ଲୋକଙ୍କୁ ଏକେ-୪୭ ବନ୍ଧୁକ ଚଳାଇବାକୁ ଶିକ୍ଷା ଦିଆଯାଉଛି । ପ୍ରାୟ ୭୯ ବର୍ଷ ବୟସ୍କା ଜଣେ ବୃଦ୍ଧ ମହିଳା ମଧ୍ୟ ଏହି ତାଲିମ ଶିବିରରେ ଉପସ୍ଥିତ ଥିଲେ। ସେ ନିଜ ଦେଶର ସୁରକ୍ଷା ପାଇଁ ଏକେ-୪୭ ବନ୍ଧୁକ ଚଳାଇବାକୁ ଶିଖୁଛନ୍ତି ।

୭୯ ବର୍ଷ ବୟସ୍କା ଭେଲେଣ୍ଟିନା କୋନଷ୍ଟାଣ୍ଟିନୋଭସ୍କାଙ୍କ ଭିତରେ ଦେଶ ପାଇଁ ଲଢ଼ିବାକୁ ଥିବା ଆତ୍ମବିଶ୍ବାସ ଓ ଶକ୍ତି କୌଣସି ଯୁବକଙ୍କ ଠାରୁ କମ ନୁହେଁ। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ ଭଇରାଲ ହେବା ସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ପସନ୍ଦ ବି କରୁଛନ୍ତି।

ଭେଲେଣ୍ଟିନା ଗଣମାଧ୍ୟମକୁ କହିଛନ୍ତି, ‘ଯଦି ପରିସ୍ଥିତି ବିଗିଡିଯାଏ ତେବେ ମୁଁ ଗୁଳି ଚଲାଇବାକୁ ପ୍ରସ୍ତୁତ ଅଛି। ମୁଁ ମୋର ଘର, ମୋ ସହର, ମୋର ପିଲାମାନଙ୍କୁ ସୁରକ୍ଷା ଦେବି । ମୁଁ ଏମିତି ଏଥିପାଇଁ କରିବି କାରଣ ମୁଁ ଭାବୁଛି ମୁଁ ଏହା ପାଇଁ ପ୍ରସ୍ତୁତ । ମୁଁ ମୋର ଦେଶ, ମୋ ସହର ହରାଇବାକୁ ଚାହେଁ ନାହିଁ ।’

ସମ୍ବନ୍ଧିତ ଖବର