ୱାସିଂଟନ: ନ୍ୟୁଜର୍ସିରେ ଅକ୍ଷରଧାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କୁ ଯୋଡ଼ିବା ଏବଂ ଭାରତର ସଂସ୍କୃତିକୁ ପ୍ରଦର୍ଶିତ କରିବାରେ ମନ୍ଦିରର ଭୂମିକା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସୁନକ ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଶାନ୍ତି ଓ ସଦ୍‌ଭାବର ବାର୍ତ୍ତାକୁ ପ୍ରଶଂସା କରିଛନ୍ତି।

Advertisment

ନ୍ୟୁଜର୍ସିର ରବିନ୍ସଭିଲ ସହରରେ ଅକ୍ଟୋବର ୮ରେ ଉଦ୍‌ଘାଟିତ ହେବାକୁ ଥିବା ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିରକୁ ଆଧୁନିକ ଯୁଗରେ ଭାରତ ବାହାରେ ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ବୋଲି କୁହାଯାଉଛି। ବିଏପିଏସ ସ୍ୱାମୀନାରାୟଣ ଅକ୍ଷରଧାମକୁ ଲେଖିଥିବା ଚିଠିରେ ମୋଦୀ ଲେଖିଛନ୍ତି, ବିଶ୍ୱର ଶ୍ରଦ୍ଧାଳୁଙ୍କ ପାଇଁ ଏହା ଏକ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱର ଅବସର। ବିଏପିଏସ୍ ସ୍ବାମୀନାରାୟଣ ଅନୁଷ୍ଠାନର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଅକ୍ଷରଧାମ ମହାମନ୍ଦିର ଭାରତୀୟ ସ୍ଥାପତ୍ୟ ଉତ୍କର୍ଷ ଏବଂ ଏହାର ଗୌରବମୟ ପ୍ରାଚୀନ ସଂସ୍କୃତି ଓ ଆଦର୍ଶକୁ ଦର୍ଶାଉଛି ବୋଲି ମୋଦୀ କହିଛନ୍ତି। ଏହା ଭାରତୀୟ ପ୍ରବାସୀ, ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ମା’ ଭାରତୀଙ୍କ ସହ ଯୋଡ଼ି ହେବା ଏବଂ ଗର୍ବ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଅକ୍ଟୋବର ୮ରେ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଏହାର ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଜଣେ ଉତ୍ତମ ମଣିଷ ହେବାର ସାର୍ବଜନୀନ ବାର୍ତ୍ତା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଛୁ। ଏହା କେବଳ ଏକ ଉପାସନା ସ୍ଥଳ ନୁହେଁ, ବରଂ ଏହା ଭାରତର ମୂଲ୍ୟବୋଧ, ସଂସ୍କୃତି ଏବଂ ବିଶ୍ୱ ପ୍ରତି ଅବଦାନକୁ ମଧ୍ୟ ଚିତ୍ରିତ କରୁଛି ବୋଲି ସେ କହିଛନ୍ତି। ଉତ୍ତର ଆମେରିକାରେ ୧୨,୫୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ୧୨ ବର୍ଷର କରସେବା ପରେ ଏହି ମନ୍ଦିର ନିର୍ମିତ ହୋଇଛି। ନ୍ୟୁଜର୍ସିର ଅକ୍ଷରଧାମ ମନ୍ଦିର ହେଉଛି ବିଶ୍ୱରେ ଏଭଳି ତୃତୀୟ ମନ୍ଦିର। ୧୯୯୨ମସିହାରେ ଭାରତର ଗାନ୍ଧୀନଗରରେ ପ୍ରଥମ ଓ ୨୦୦୫ ମସିହାରେ ନୂଆଦିଲ୍ଲୀରେ ଦ୍ବିତୀୟ ଅକ୍ଷରଧାମ ମନ୍ଦିର ନିର୍ମିତ ହୋଇଥିଲା।