ବ୍ୟାଙ୍କକ୍: ‘ସିଙ୍ଗାପୁର୍ ସ୍ଲିଙ୍ଗ୍ କକ୍ଟେଲ୍’ ନାମରେ ପ୍ରସିଦ୍ଧ ପାନୀୟ ବିକ୍ରୟ କରି ସିଙ୍ଗାପୁରର ବିଳାସମୟ ରାଫେଲ୍ସ୍ ହୋଟେଲ୍ ଦୈନିକ ୩୦,୦୦୦ ଡଲାର୍ ଉପାର୍ଜନ କରୁଛି ବୋଲି ‘ନିଉଜ୍ ଡଟ୍ କମ୍ ଏୟୁ’ ରିପୋର୍ଟ କରିଛି।
ଏହି ‘କକ୍ଟେଲ୍’ ବା ପାନୀୟର ଉଦ୍ଭାବକ ହେଉଛନ୍ତି ନିଆମ୍ ଟୋଙ୍ଗ୍ ବୁନ୍ ନାମରେ ଜଣେ ସାଧାରଣ ବାର୍ ଆଟେଣ୍ଡର୍। ୧୯୧୫ ମସିହାରେ ଐତିହାସି ‘ଲଙ୍ଗ୍ ବାର୍’ରେ ଉଦ୍ଭାବିତ ଏହି ପାନୀୟ ସେବେଠାରୁ ଆପଣାଛାଏଁ ସିଙ୍ଗାପୁରର ଜାତୀୟ ପାନୀୟ ହୋଇଯାଇଛି। ସମ୍ପ୍ରତି ରାଫେଲ୍ସ୍ ହୋଟେଲ୍ ଦୈନିକ ହାରାହାରି ୧୦୦୦ ‘ସିଙ୍ଗାପୁର ସ୍ଲିଙ୍ଗ୍ କକ୍ଟେଲ୍’ ବିକ୍ରୟ କରୁଛି।
ଡେଙ୍ଗା ଗ୍ଲାସ୍ରେ ପରିବେଷଣ କରାଯାଉଥିବା ଏହି ‘କକ୍ଟେଲ୍’ ‘ଜିନ୍’, ‘ଚେରି ସୁରା’, ‘କଏନଟ୍ର୍ୟୁ’, ‘ବେନିଡିକ୍ଟଟିନ୍’, ‘ସପୁରି ରସ’, ‘କାଗେଜି ରସ’, ‘ଗ୍ରେନାଡାଇନ୍’ ଏବଂ ‘ଆଙ୍ଗୋସ୍ତୁରା ବିଟର୍ସ’ ସମିଶ୍ରଣରେ ପ୍ରସ୍ତୁତ କରାଯାଏ। ଏହି ପ୍ରସିଦ୍ଧ ପାନୀୟ ପିଇବା ଲାଗି ସମଗ୍ର ବିଶ୍ବରୁ ଆସୁଥିବା ପର୍ଯ୍ୟଟକମାନେ ସେ ବାର୍କୁ ଯାଆନ୍ତି।
କିନ୍ତୁ, ଏହି ପାନୀୟ ପାଇଁ ପର୍ଯ୍ୟଟକମାନେ ପାଗଳ ହୁଅନ୍ତି କାହିଁକି? ଏହାର ଉତ୍ତର ରହିଛି ଇତିହାସରେ। ‘ରାଫେଲ୍ସ୍’ର ଲଙ୍ଗ୍ବାର୍ ଥିଲା ସାମାଜିକ ସମାବେଶ ପାଇଁ ଗୋଟାଏ ଜନପ୍ରିୟ ସ୍ଥାନ।
୧୯୧୫ ମସିହା ଆଇନ ଅନୁସାରେ, ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କୁ ମଦ୍ୟପାନ କରିବାକୁ ବାରଣ କରାଯାଇଥିଲା। ମଦ ପରିବର୍ତ୍ତେ ସେମାନେ ଚା କିଂବା ଫଳରସ ପିଉଥିଲେ।
ଏହାକୁ ଲକ୍ଷ୍ୟ କରି ବାର୍ ଆଟେଣ୍ଡର୍ ନିଆମ୍ ମୁଣ୍ଡରେ ଉପାୟଟିଏ ଜୁଟିଲା। ସେ ଫଳରସ ଭଳି ଦିଶୁଥିବା ଏହି କକ୍ଟେଲ୍ ପ୍ରସ୍ତୁତ କରି ଏଥିରେ ଗୋଲାପୀ ରଙ୍ଗ ଦେବାରୁ ଏହା ମହିଳାଙ୍କ ପାଇଁ ଉଦ୍ଦୀଷ୍ଟ ପାନୀୟ ପରି ଦିଶିଲା। କ୍ରମେ ମହିଳାଙ୍କ ପାନୀୟ ଭାବେ ମଧ୍ୟ ଏହାକୁ ସାମାଜିକ ଓ ଆଇନଗତ ସ୍ବୀକୃତି ମିଳିଲା। ୧୦୦ରୁ ଅଧିକ ବର୍ଷ ହେଲାଣି ଏହି କକ୍ଟେଲ୍ ପର୍ଯ୍ୟଟକମାନଙ୍କୁ ସେମିତି ଆକୃଷ୍ଟ କରିଚାଲିଛି।