ସୁରତ : ଭାଇ-ଭାଇ ଭିତରେ ବିବାଦ ଓ ବାପାଠୁ ପୁଅ ଅଲଗା ହେବା ଘଟଣା ଆଜିକାଲି ଅତି ସାଧାରଣ। କିନ୍ତୁ ଗୁଜରାଟରେ ଏପରି ପରିବାର ଅଛି ଯେଉଁଠି ୮୧ ଜଣ ସଦସ୍ୟ ଏକାଠି ରହୁଛନ୍ତି। ସେମାନଙ୍କ ଭିତରେ ସଦ୍ଭାବ ଓ ପ୍ରୀତି-ସଂହତି ଅତୁଟ। ଭୋଟ ଦେଲା ବେଳେ ବି ସେମାନେ ଏକାଠି ଯାଇ ଭୋଟ ଦିଅନ୍ତି।
କାମରେଜର ସୋଲାଙ୍କି ପରିବାର ଏକ ବାର୍ତ୍ତା ଦେବାକୁ ଚାହାନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା କେତେ ଗୁରୁତ୍ବପୂର୍ଣ୍ଣ। ୮୨ ବର୍ଷୀୟ ଶାମିଭାଇ ହେଉଛନ୍ତି ପରିବାରର ସବୁଠୁ ବୟସ୍କ ଭୋଟର ଏବଂ ୧୮ ବର୍ଷୀୟ ପାର୍ଥ ଓ ବେଦାନ୍ତ ହେଉଛନ୍ତି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ପରିବାରର ସବୁଠୁ କନିଷ୍ଠ ଭୋଟର। ପରିବାରର ୮୧ ଜଣଙ୍କ ମଧ୍ୟରୁ ୬୦ ଜଣଙ୍କର ଭୋଟର ତାଲିକାରେ ନାଁ ଅଛି। ୮୨ ବର୍ଷ ବୟସରେ ବି ମୋ ବାପାଙ୍କର ଭୋଟ ଦେବାର ଉତ୍ସାହରେ ଆଦୌ ଭଟ୍ଟା ପଡ଼ିନି ବୋଲି କୁହନ୍ତି ଶାମଜୀଭାଇଙ୍କ ପୁଅ ନନ୍ଦଲାଲ। ସେମାନେ ଅନେକ ଗାଡ଼ିରେ ମଙ୍ଗଳବାର ଏକାଠି ଭୋଟ ଦେବାକୁ ଯାଇଥିଲେ।
ନନ୍ଦଲାଲଙ୍କ କହିବା ଅନୁସାରେ ବର୍ତ୍ତମାନ ତାଙ୍କ ପରିବାରର ମୋଟ ସଦସ୍ୟ ସଂଖ୍ୟା ୯୬। ସେମାନଙ୍କ ମଧ୍ୟରୁ ୮୧ ଜଣ କାମରେଜରେ ରହୁଥିବା ବେଳେ ବାକି ୧୫ ଜଣ ତାଙ୍କ ପୈତୃକ ଗ୍ରାମରେ ରହନ୍ତି। ସେମାନେ କେହି ଅଲଗା ନୁହନ୍ତି ଓ ଭଲମନ୍ଦରେ ସମସ୍ତେ ସମସ୍ତଙ୍କ କଥା ବୁଝନ୍ତି। ସେମାନେ ମୂଳତଃ କୃଷକ ପରିବାର ଏବଂ ଏବେ କାମରେଜଠାରେ ଏକ କୃଷି ଯନ୍ତ୍ରପାତି ତିଆରି କାରଖାନା ଚଳାଉଛନ୍ତି। ପୂରା ପରିବାର ମିଳିତ ଭାବେ ଏହି ବ୍ୟବସାୟ ଚଳାଉଛନ୍ତି।