ରାମ ମନ୍ଦିର ଭୂମିପୂଜନ ଦିନ ଓୱେସିଙ୍କ ବିବାଦୀୟ ଟୁଇଟ୍: ବାବ୍ରି ମସଜିଦ ଥିଲା, ଅଛି ଓ ରହିବ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଅନୁଷ୍ଠିତ ରାମ ମନ୍ଦିର ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବାରୁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଅଲ ଇଣ୍ଡିଆ ମଜଲିସେ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସି । ସେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଭାରତରେ ଧର୍ମନିରପେକ୍ଷତା ଓ ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ୱର ବିଜୟ । ଏଥିସହ ସେ ଟୁଇଟ୍ କରି ଲେଖିଛନ୍ତି,  ସେଠାରେ ବାବ୍ରି ମସଜିଦ ଥିଲା, ଅଛି ଓ ରହିବ । ଏହି ଟୁଇଟ୍ ସହ ସେ ବାବ୍ରି ଜିନ୍ଦା ହେଁ ହାସ୍ ଟ୍ୟାଗ୍ ଦେଇଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଓ ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ନିଜର ଶପଥ ଓ ଭାରତର ସମ୍ବିଧାନର ବିରୁଦ୍ଧାଚରଣ କରିଛନ୍ତି । ଆଜିର ଦିନକୁ ଭାରତରେ ସଂଖ୍ୟାଗରିଷ୍ଠ ରାଜନୀତିର ଦିନ ଭାବେ ମନେରଖାଯିବ । ମୋଦୀ ହିନ୍ଦୁତ୍ୱ ଏଜେଣ୍ଡାର ଭିତ୍ତି ପକାଇଛନ୍ତି ।

ମୋଦୀଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ମୋଦୀଙ୍କ ପାଇଁ ଯେପରି ଏକ ଭାବନାତ୍ମକ ବିଷୟ, ମସଜିଦ ଭାଙ୍ଗିବା ମଧ୍ୟ ତାଙ୍କ ପାଇଁ ଏକ ଭାବନାତ୍ମକ ବିଷୟ । ସେହି ସ୍ଥାନରେ ଏକ ମସଜିଦ ୪୫୦ ବର୍ଷ ଧରି ଥିଲା, ଯାହାକୁ ତାଙ୍କ ଦଳର ଲୋକମାନେ ୧୯୯୨ରେ ଭାଙ୍ଗିଦେଇଥିଲେ ।

ଭାରତର ପ୍ରତୀକ ଏକ ମନ୍ଦିର କିମ୍ବା ଏକ ମସଜିଦ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ସେ ମଧ୍ୟ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଉପସ୍ଥିତିକୁ ବି  ବିରୋଧ କରିଛନ୍ତି ।
ଅନ୍ୟପକ୍ଷରେ ରାମ ମନ୍ଦିର ନିର୍ମାଣକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପକ୍ଷରୁ ବିରୋଧ କରାଯାଇଛି । ସେଠାରେ ବାବ୍ରି ମସଜିଦ ସବୁବେଳେ ରହିବ । ତୁର୍କୀର ହାଦିଆ ସୋଫିଆ ଏହାର ଏକ ଉଦାହରଣ ।

ସମ୍ବନ୍ଧିତ ଖବର