ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଫଳାଫଳ ଶନିବାର (୨୩ ତାରିଖ) ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ବିଭିନ୍ନ ସଂସ୍ଥାର ଏକ୍‌ଜିଟ୍ ପୋଲ୍ (ବୁଥ୍‌ ବାହୁଡ଼ା ମତ) ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଏନ୍‌ଡିଏକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳିବ ଏବଂ ଝାଡ଼ଖଣ୍ଡରେ ତୀବ୍ର ମୁକାବିଲାତ୍ମକ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ମାଟ୍ରିଜ୍ ଏବଂ ପିପୁଲ୍ସ ପଲ୍ସର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏନ୍‌ଡିଏ ମେଣ୍ଟ କ୍ଷମତାକୁ ଫେରିବ। ଅନ୍ୟପକ୍ଷରେ ପି-ମାର୍କ ଆକଳନରେ ମହାରାଷ୍ଟ୍ରରେ ଝୁଲା ବିଧାନସଭା ସ୍ଥିତି ଆସିପାରେ ବୋଲି କୁହାଯାଇଛି। 

Advertisment

ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ବିଜେପିର ଶାସକ ମେଣ୍ଟ ମହାୟୁତି ମୋଟ୍‌ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ୧୮୨ ଆସନ ହାସଲ କରିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୪୫ ରହିଛି। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନା, ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ଏବଂ କଂଗ୍ରେସର ମେଣ୍ଟ ‘ମହାବିକାଶ ଅଘାଡ଼ି’କୁ ୯୭ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଫଳାଫଳରେ କୌଣସି ମେଣ୍ଟକୁ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିବ ନାହିଁ ବୋଲି ପି-ମାର୍କ ଏକ୍‌ଜିଟ୍‌ ପୋଲ୍‌ ଆକଳନ କରିଛି। ଶାସକ ମେଣ୍ଟ ମହାୟୁତିର ସଂଖ୍ୟା ୧୩୭ରୁ ୧୫୭ ଏବଂ ଏମଭିଏ ୧୨୬ରୁ ୧୪୬ ଆସନ ମଧ୍ୟରେ ରହିପାରେ ବୋଲି ସଂସ୍ଥା ଦାବି କରିଛି। ଲୋକସାହି ମରାଠୀ ରୁଦ୍ର ଏକ୍‌ଜିଟ୍‌ ପୋଲ୍‌ ମହାରାଷ୍ଟ୍ରରେ ଏନଡିଏକୁ ୧୨୮ରୁ ୧୪୨ ଏବଂ ଏମଭିଏକୁ ୧୨୫ରୁ ୧୪୦ ଆସନ ମିଳିବ ବୋଲି କହିଛି। ୧୮ରୁ ୨୩ ଟି ଆସନ ଅନ୍ୟମାନଙ୍କୁ ମିଳିବ ବୋଲି ଏହା ଦର୍ଶାଇଛି।

gddgjgjddgj

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବିରୋଧୀ ଏନ୍‌ଡିଏ ୪୪ରୁ ୫୩ଟି ଆସନ ପାଇବ ଏବଂ ଇଣ୍ଡି ମେଣ୍ଟକୁ ୨୫ରୁ ୩୭ ଆସନ ମିଳିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଛି । ଏଠାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୧ ରହିଛି। ମାଟ୍ରିଜ୍‌ ଏକ୍‌ଜିଟ୍‌ ପୋଲ୍‌ରେ ଏନଡିଏକୁ ୪୨ରୁ ୪୭ ଟି ଆସନ ମିଳିବ ଏବଂ ଇଣ୍ଡି ମେଣ୍ଟକୁ ୨୫ରୁ ୩୦ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଟାଇମ୍ସ ନାଓ-ଜେଭିସି ଏକ୍‌ଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ ଝାଡ଼ଖଣ୍ଡରେ ଏନ୍‌ଡିଏକୁ ୪୦ରୁ ୪୪ ଆସନ ଏବଂ ଇଣ୍ଡି ମେଣ୍ଟକୁ ୩୦ରୁ ୪୦ ଆସନ ମିଳିବ। ଅନ୍ୟପକ୍ଷରେ ଏକ୍ସସ ମାଇଁ ଇଣ୍ଡିଆର ଆକଳନ ଅନୁଯାୟୀ ଝାଡ଼ଖଣ୍ଡରେ ଶାସକ ଇଣ୍ଡି ମେଣ୍ଟକୁ ୫୩ ଆସନ ଏବଂ ଏନ୍‌ଡିଏକୁ ୨୫ ଆସନ ମିଳିବ। ଉଭୟ ରାଜ୍ୟର ଏକ୍‌ଜିଟ ପୋଲ୍‌କୁ ନେଇ ଏଥର ବିଭାଜିତ ମତ ଦେଖିବାକୁ ମିଳିଥିବାରୁ ଚିତ୍ର ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ସଂପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଥିଲା।