ଏ ସଫଳତା ଛୋଟ ନୁହେଁ: ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସ୍ମରଣୀୟ ସ୍ବର୍ଣ୍ଣପଦକ ହାସଲ କରିଥିଲା।

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସହିତ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ଦଶନ୍ଧି ପରେ ଭାରତ ଏହି ପ୍ରତିଦ୍ବନ୍ଦ୍ବିତାରେ ପତାକା ଉତ୍ତୋଳନ କରିବା ଛୋଟ ସଫଳତା ନୁହେଁ। ଉଦ୍ୟମ ପାଇଁ ସେ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ, ପୂର୍ବରୁ ଦେଶ ଏହି ସବୁ ଟୁର୍ଣ୍ଣାମେଣ୍ଟ୍‌କୁ ହେୟଜ୍ଞାନ କରୁଥିଲା। ଏ ଟିମ୍‌କୁ ଧନ୍ୟବାଦ। ‘ଥମାସ୍‌ କପ୍‌’ ବିଜୟୀ ହେବା ପରେ ଦେଶର ଏହି ଟିମ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳ ପ୍ରତି ଦୃଷ୍ଟି ପଡ଼ିଛି।

Image Courtesy of Mint

‘ଥମାସ୍‌ କପ୍‌’ ଚୂଡ଼ାନ୍ତ ମ୍ୟାଚ୍‌ରେ ସ୍ମରଣୀୟ ବିଜୟ ହାସଲ କରିବା ପରେ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସହିତ ଆଳାପ କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି, ହଁ, ଆମେ ଜିଣି ପାରିବୁ ମନୋଭାବ ଆଜି ଦେଶର ନୂଆ ସାମର୍ଥ୍ୟ ହୋଇପାରିଛି। ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ, ଆମ ଖେଳାଳିମାନଙ୍କୁ ସରକାର ସବୁ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ।

ପ୍ରବଳ ଚାପ ସତ୍ତ୍ବେ ଚୂଡ଼ାନ୍ତ ମ୍ୟାଚ୍‌ରେ ଭାରତର ନେତୃତ୍ବ ପ୍ରଶଂସା‌ଯୋଗ୍ୟ କହି ୨୯ ବର୍ଷିୟ କିଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିଲେ।

ସ୍ମରଣଯୋଗ୍ୟ, ଚୂଡ଼ାନ୍ତ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୩-୦ ମାର୍ଜିନ୍‌ରେ ପରାସ୍ତ କରି ଭାରତୀୟ ଟିମ୍‌ ‘ସ୍ମରଣୀୟ ଥମାସ୍‌ କପ୍‌ ଅଭିଯାନ’ର ପରିସମାପ୍ତି କରିଥିଲା। ଟୁର୍ଣ୍ଣାମେଣ୍ଟର୍‌ ବିଭିନ୍ନ ପର୍ଯ୍ୟାୟରେ ଜିଣିବାର ସମ୍ଭାବନା ନ ଥିବା ପରିସ୍ଥିତିରେ ଭାରତ ମାଲେସିଆ ଏବଂ ଡେନ୍‌ମାର୍କ ଭଳି ଦେଶକୁ ପରାସ୍ତ କରି ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲା।

ସମ୍ବନ୍ଧିତ ଖବର