କାରଗିଲ ଯୁଦ୍ଧରେ ୨୯ ଜଣ ପାକିସ୍ତାନୀ ଯବାନଙ୍କୁ ମାରିଥିଲେ ଭାରତୀୟ ସେନାର ଏହି ଡ୍ରାଇଭର

ନୂଆଦିଲ୍ଲୀ : ଆଜି ହେଉଛି ବିଜୟ ଦିବସ । କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାଇଥିବା ବିଜୟକୁ ଇତି ମଧ୍ୟରେ ୨୦ ବର୍ଷ ଟପିଯାଇଛି । ଏହି ଅବସରରେ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଉଛି । ଏହି ଯୁଦ୍ଧରେ ଅବିସ୍ମରଣୀୟ ବୀରତ୍ୱର ପ୍ରଦର୍ଶନ କରିଥିବା ଭାରତୀୟ ସେନାର ଜଣେ ଜବାନ ହେଉଛନ୍ତି ହାବିଲଦାର ରାମ ରତନ ମହାତୋ ।

୧୯୯୯ରେ ସେ ଭାରତୀୟ ସେନାରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କର କାମ ଥିବା କାରଗିଲ ସେକ୍ଟରରେ ଯବାନ ମାନଙ୍କୁ ପହଞ୍ଚାଇବା । ଦିନେ ରାତିରେ ସେ ନିଜ ୟୁନିଟର ମୋଟର ଗ୍ୟାରେଜରେ ଥିବାବେଳେ ଦେଖିବାକୁ ପାଇଲେ ଯେ ପାକିସ୍ତାନୀ ସୈନିକମାନେ ତାଙ୍କ ୟୁନିଟ ଆଡକୁ ଆଗଉଛନ୍ତି । ସେତେବେଳକୁ ୟୁନିଟରେ ଅଳ୍ପ କିଛି ସୈନିକ ଥିଲେ ଓ ଅଧିକାଂଶ ସୈନିକ ଯୁଦ୍ଧକ୍ଷେତ୍ରରେ ଥିଲେ । ତାଙ୍କ ପାଖରେ ଗୋଟିଏ ମାତ୍ର ଲାଇଟ ମେସିନ ଗନ ଥିଲା । ତାହାକୁ ନେଇ ସେ ଆଖିମୁଜା ଗୁଳି ଚଳାଇଲେ । ଅନ୍ଧାରରେ ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ ପାକିସ୍ତାନି ସୈନିକମାନେ । ଘଟଣାସ୍ଥଳରେ ହିଁ ୨୯ ପାକିସ୍ତାନୀ ଟଳିପଡିଥିଲେ । କିଛି ସମୟ ପରେ ୟୁନିଟକୁ ଭାରତୀୟ ସୈନିକ ଓ ଅଫିସରମାନେ ଫେରିବା ପରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଖୁସିରେ ତାଙ୍କୁ କାନ୍ଧରେ ଉଠାଇ ନାଚିଥିଲେ ।

ସମ୍ବନ୍ଧିତ ଖବର