ଚାଲି ଚାଲି ଭାରତ ଭ୍ରମଣ କଲେ କେରଳର ଏହି ଦମ୍ପତ୍ତି

କୋଚି : ପାଦରେ ଚାଲି ଚାଲି ସମଗ୍ର ଭାରତ ଭ୍ରମଣ କରି କେରଳର ଏକ ଦମ୍ପତ୍ତି ଏକ ବିରଳ ରେକର୍ଡ କରିଛନ୍ତି । ଏହି ଦମ୍ପତ୍ତି ହେଉଛନ୍ତି ବେନି କୋଟ୍ଟାରାଥିଲ ଓ ମୋଲି ବେନି । ୟୁନିଭର୍ସାଲ ରେକର୍ଡ ଫୋରମ୍ ପକ୍ଷରୁ ଏହି ଦମ୍ପତ୍ତିଙ୍କ ନାଁ ରେକର୍ଡ ବୁକରେ ସାମିଲ କରାଯାଇଛି ।

ସେମାନେ ୧ ଡିସେମ୍ବର ୨୦୨୧ରେ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ଓ ଚଳିତ ମାସ ୩ ତାରିଖରେ ନିଜର ଯାତ୍ରା ଶେଷ କରିଥିଲେ । ଏହି ୭ ମାସ ୩ ଦିନରେ ସେମାନେ ଭାରତର ୧୭ଟି ରାଜ୍ୟ ଅତିକ୍ରମ କରିଥିଲେ । ଚାଲିବାକୁ ପ୍ରେତ୍ସାହିତ କରିବାକୁ ସେ ଏହି ଭାରତ ଭ୍ରମଣ କରିଥିବା ବେନି କହିଛନ୍ତି ।

ଏହି ଦମ୍ପତ୍ତି ପ୍ରାୟ ୧୫ ବର୍ଷ ଧରି ଆନ୍ଧ୍ରପ୍ରଦେଶର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରେ ସେମାନେ ନିଯୁକ୍ତି ହରାଇଥିଲେ । ଏହା ପରେ ସେମାନେ ପାଦରେ ଚାଲି ଚାଲି ଭାରତ ଭ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଜ ପାଖରେ ଥିବା ସୁନା ଗହଣାକୁ ବିକ୍ରି କରି ସେମାନେ କିଛି ଅର୍ଥ ଧରି ଏହି ଭ୍ରମଣ ଆରମ୍ଭ କରିଥିଲେ । ବାଟରେ ସେମାନେ ଅନେକ ପ୍ରକାରର ସଂକଟ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ ବି ସାହାସର ସହ ନିଜର ଭ୍ରମଣ ପୂରଣ କରିଥିଲେ । ଆଗକୁ ସୁଯୋଗ ମିଳିଲେ ପୁଣି ଭାରତ ଭ୍ରମଣ କରିବାକୁ ସେମାନେ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର