ନିର୍ଭୟା କାଣ୍ଡ ପରେ ଉତ୍ତରପ୍ରଦେଶର ୨ଲକ୍ଷ ଯୁବତୀଙ୍କୁ ଅସଦାଚରଣ ବିରୋଧରେ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦେଇ ସାରିଲେଣି ଏହି ଯୁବକ

ଗୋରଖପୁର : ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍‌ରେ ପୀଡ଼ିତାଙ୍କ ସହ ବର୍ବରତାର ସହ ଦୁଷ୍କର୍ମ କରିବା ସହ ତାଙ୍କ ପ୍ରେମିକଙ୍କୁ ନିସ୍ତୁକ ପିଟିଥିଲେ ଅଭିଯୁକ୍ତ । ତେବେ କିଛି ଦିନ ନିଜ ଜୀବନ ସହ ସଂଘର୍ଷ କରି ଆର ପାରିକୁ ଚାଲି ଯାଇଥିଲେ ପୀଡ଼ିତା । ଏହି ଘଟଣା ଦେଶର ପ୍ରତିଟି ନାଗରିକକୁ ଚିନ୍ତା କରିବାକୁ ବାଧ୍ୟ କରିଥିବା ବେଳେ କେବଳ ଚିନ୍ତା କରି ବସି ନ ଥିଲେ ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଅଭିଷେକ ଯାଦବ।

ମହିଳାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସେ ନିଜେ ଶିଖିଥିବା କୌଶଳକୁ ଅନ୍ୟକୁ ଶିଖାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଭିସେଲ୍‌ଫ୍‌ ପ୍ରୋଟେକ୍ସନ ଟ୍ରଷ୍ଟ ନାମରେ ଏକ ଏନ୍‌ଜିଓ ଖୋଲି ସେ ମହିଳା ଓ ଯୁବତୀମାନଙ୍କୁ ଆତ୍ମସୁରକ୍ଷା କରିବାର କୌଶଳ ଶିଖାଇବା ଆରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ସେ ୨.୫ଲକ୍ଷ ମହିଳା ଓ ଯୁବତୀଙ୍କୁ ମାର୍ସଲ ଆର୍ଟର ଟ୍ରେନିଂ ଦେଇ ସାରିଥିବା ଜଣାପଡ଼ିଛି । ‘ମେରି ରକ୍ଷା ମେରି ହାଥୋଁ ମେଁ ହେ’ କାର୍ଯ୍ୟକ୍ରମ ଜରିଆରେ ଅଭିଷେକ ଟ୍ରେନିଂ ଦେଉଥିବା ଜଣାପଡ଼ିଛି ।

Abhishek Yadav Abhi
indiatimes.com

ଅଭିଷେକ ଜାପାନିଜ୍‌ ମାର୍ସଲ ଆର୍ଟ ଏକିଡୋରେ ଏକ୍ସପର୍ଟ ହୋଇଥିବା ବେଳେ ପ୍ରଥମେ ସେ ଉତ୍ତରପ୍ରଦେଶ ପୁଲିସକୁ ଟ୍ରେନିଂ ଦେଉଥିଲେ ବୋଲି ଜଣାପଡ଼ିଛି । ଏହାକୁ ଏବେ ସେ ମହିଳା ଓ ଯୁବତୀମାନଙ୍କୁ ଶିଖାଉଛନ୍ତି । ଅଭିଷେକଙ୍କ କହିବା ଅନୁଯାୟୀ, ୨୦୦୭ରେ ମୁଁ ଉତ୍ତରପ୍ରଦେଶ ପୁଲିସ କମାଣ୍ଡୋଙ୍କୁ ମାର୍ସଲ ଆର୍ଟ ଶିଖାଇବା ଆରମ୍ଭ କରିଥିଲି । କିନ୍ତୁ ୨୦୧୨ ଗଣଦୁଷ୍କର୍ମ ପରେ ମୁଁ ଏହାକୁ ରାଜ୍ୟର ସମସ୍ତ ମହିଳା ଓ ଯୁବତୀମାନଙ୍କୁ ଶିଖାଇବି ବୋଲି ଚିନ୍ତା କରିଥିଲି । ଯାହାଦ୍ୱାରା ସେମାନେ ଅଭିଯୁକ୍ତକୁ ଉଚିତ୍‌ ଜବାବ ଦେଇ ନିଜକୁ ରକ୍ଷା କରି ପାରିବେ । ତେବେ ଅଭିଷେକ ୨୦୦୨ରେ ମାର୍ସଲ ଆର୍ଟ ଶିଖିବା ଆରମ୍ଭ କରିଥିବା ବେଳେ ବିଶ୍ୱସ୍ତରରେ ତାଙ୍କୁ କରାଟେରେ ସ୍ୱର୍ଣ୍ଣ ପଦକ ମିଳି ସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର