କେରଳ ବନ୍ୟା: ୩୦ ଜଣଙ୍କୁ ବଞ୍ଚାଇଥିବା ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବେ

ଥିରୁଅନନ୍ତପୁରମ୍‌: ଗତମାସରେ କେରଳରେ ହୋଇଥିବା ଭୟଙ୍କର ବନ୍ୟାରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ସେନାବାହିନୀ ବାଦ୍‌ ବନ୍ୟାଘେରରୁ ବହୁ ସାଧାରଣ ଲୋକ ମଧ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସଦାଶିବନ ନାୟାର। ସେ ନିଜ ଟ୍ରକ୍‌ ଚାଳକ ବନ୍ଧୁଙ୍କଠାରୁ ପୁରୁଣା ଟାୟାର ଆଣି ଆଲାପୁଝା ଜିଲ୍ଲାର ଚେଙ୍ଗାନୁର୍‌ ଅଞ୍ଚଳରୁ ୩୦ ଜଣଙ୍କୁ ବନ୍ୟା ଜଳରୁ ଉଦ୍ଧର କରିଥିଲେ। ତେବେ ଉଦ୍ଧାର ସମୟରେ ସଦାଶିବନଙ୍କ ଡାହାଣ ଆଖିରେ ଏକ ଗଛର ଡାଳ ବାଜିଥିଲା। ସେତେବେଳେ କଷ୍ଟ ହେଲେ ମଧ୍ୟ ସେ ନିଜ କାର୍ଯ୍ୟ ଜାରିରଖିଥିଲେ। କିନ୍ତୁ ଏବେ ସଦାଶିବନ ତାଙ୍କ ଦୃଷ୍ଟିଶକ୍ତି ହରାଇବାର ଭୟ ରହିଛି। ତାଙ୍କ ଡାହାଣ ଆଖିରେ ଗୋଟିଏ ଥର ଅସ୍ତ୍ରୋପଚାର ସରିଛି କିନ୍ତୁ ସଂକ୍ରମଣ ଅନ୍ୟ ଏକ ଆଖିକୁ ବ୍ୟାପି ଯାଇଥିବାରୁ ସଦାଶିବନଙ୍କ ଆଖିରେ ପୁଣି ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। ଅସ୍ତ୍ରୋପଚାର ପାଇଁ ଦେଢ଼ଲକ୍ଷ ଟଙ୍କା ଦରକାର। କିନ୍ତୁ ସଦାଶିବନଙ୍କ ପାଖରେ ଏତେ ଟଙ୍କା ନାହିଁ। ଅନ୍ୟପକ୍ଷେ ଚିକିତ୍ସକମାନେ କହୁଛନ୍ତି ଚିକିତ୍ସାରେ ବିଳମ୍ବ ହେଲେ ସଦାଶିବନ ତାଙ୍କ ଦୃଷ୍ଟିଶକ୍ତି ହରାଇଦେବେ। ସଦାଶିବନ ଭଲ ପହଁରି ପାରନ୍ତି। ବନ୍ୟା ଜଳରେ ବୁଡ଼ି ୩୦ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର