ଗାଜିଆବାଦ: ଅକ୍ଟୋବର ୬, ୨୦୧୭ରେ ଅରୁଣାଚଳ ପ୍ରଦେଶରେ ଏମଆଇ-୧୭ ହେଲିକପ୍ଟର ବିମାନ ଦୁର୍ଘଟଣାରେ ସ୍କ୍ୱାଡ଼ନ ଲିଡର ଶିଶିର ତିୱାରୀ ସହିଦ ହୋଇଯାଇଥିଲେ | ପୁଅକୁ ହରାଇବାର ଦୁଃଖକୁ ଅନୁଭା କରିଥିବା ଏହି ମା ସେହିଦିନ ହିଁ ଶପଥ ନେଇଥିଲେ ଯେ ପୁଅ ପାଇଁ କିଛି କରିବେ | ପୁଅ ଯେଭଳି ଦେଶ ପାଇଁ ନିଜକୁ ସମର୍ପିତ କରିଛି, ସେଭଳି ଗରିବ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରାଇବେ | ସେମାନଙ୍କୁ ଦେଶର ସେବା ପାଇଁ ଅନୁପ୍ରାଣିତ କରାଇବେ |
ମୋର କେବଳ ଗୋଟିଏ ଇଚ୍ଛା ଥିଲା ଯେ ମୋ ପୁଅ ପାଇଁ କିଛି କରିବି | ସେଥିପାଇଁ ଏହି ପିଲାଙ୍କ ଜୀବନ ସୁଧାରିବାକୁ ମୁଁ ଦାୟିତ୍ୱ ନେଇଛି | ଏମାନଙ୍କୁ ଠିକ ରାସ୍ତା ଦେଖାଇବି, ଭବିଷ୍ୟତରେ ଯେଭଳି ଦେଶର ସେବା କରିପାରିବେ |
ଉତ୍ତରପ୍ରଦେଶର ଗାଜିଆଵାଦରେ ରହୁଥିବା ଶିଶିରଙ୍କ ମା ସବିତା ତିୱାରୀ ଅଗଷ୍ଟ ୧୫, ୨୦୧୮ରେ ମୟୁର ବିହାରରେ କିଛି ଗରିବ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ | ଏଥିପାଇଁ ସବିତା ପ୍ରଥମେ ସହିଦ ସ୍କ୍ୱାଡ଼ନ ଲିଡର ଶିଶିର ତିୱାରୀ ମେମୋରିଆଲ ଟ୍ରଷ୍ଟ ନାମକ ଅନୁଷ୍ଠାନଟିଏ ଆରମ୍ଭ କରିଥିଲେ | ସବିତା ଏହି ପିଲାମାନଙ୍କୁ କେବଳ ପଢ଼ାନ୍ତି ନାହିଁ ବରଂ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛନ୍ତି | ୧୦ ଜଣ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିବା ସବିତାଙ୍କ ପାଖରେ ଏବେ ୩୫୦ ଜଣ ପିଲା ପାଠ ପଢୁଛନ୍ତି |
ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢିବାକୁ ଆସୁଥିବାବେଳେ ସ୍ଥାନୀୟ ଲୋକ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି | ସବିତାଙ୍କ ବିଦ୍ୟାଳୟରେ ସାମାଜିକ ସ୍ତରରେ ଅନଗ୍ରସର ଓ ଆର୍ଥିକ ସ୍ଵଛଳ ନଥିବା ପିଲାମାନେ ପାଠ ପଢ଼ୁଥିବାବେଳେ ଏଥିପାଇଁ ୨୫ ଜଣ ସ୍ବେଛାସେବୀ ମଧ୍ୟ କାମ କରୁଛନ୍ତି | ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ିବାକୁ ଚାଁହୁନାହାନ୍ତି ଏହି ସ୍ବେଚ୍ଛାସେବୀମାନେ ଘର ଘର ବୁଲି ସେମାନଙ୍କୁ ବୁଝାଉଛନ୍ତି | ଏହା ପରେ ପିଲାମାନେ କିଭଳି ବିଦ୍ୟାଳୟରେ ଆସି ପାଠ ପଢିପାରିବେ, ତାହା ଉପରେ ଧ୍ୟାନ ଦେଇଥାନ୍ତି |