ଭାରତୀୟ ସେନାକୁ ପ୍ରସଂଶା ଓ ପାକିସ୍ତାନକୁ ଗାଳିଦେଉଛି ଏହି ଆତଙ୍କବାଦୀ, ଭିଡିଓ ଭାଇରାଲ

ଶ୍ରୀନଗର : କାଶ୍ମୀରରେ ଭାରତୀୟ ସେନା ରକ୍ତମୁଖା ହୋଇ ଆତଙ୍କବାଦୀମାନଙ୍କୁ ନିପାତ କରିଚାଲିଛି । ଏହା ଫଳରେ ଏବର୍ଷ ଏପ୍ରିଲ ଶେଷସୁଦ୍ଧା ପ୍ରାୟ ୫୬ ଜଣ ଆତଙ୍କବାଦୀ ମଲେଣି । ଏହାଫଳରେ କେତେକ ଆତଙ୍କବାଦୀ ଛାନିଆ ହୋଇପଡିଛନ୍ତି । ଏଥିପାଇଁ ସେମାନେ ଆତ୍ମସମର୍ପଣ କରୁଛନ୍ତି । ଏପରି ଏକ ଆତଙ୍କବାଦୀ ହେଉଛି ଐଜାଜ ଅହମଦ ଗୋଜରୀ । ସେ ଲସକର –ଇ-ତୋଇବାର ଏକ ଆତଙ୍କବାଦୀ । ତାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ସେ କହିଛି ଯେ ଭାରତ ବିରୋଧରେ ପାକିସ୍ତାନ ସବୁବେଳେ ଷଡ଼ଯନ୍ତ୍ର କରୁଛି । ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଓ ଆଇଏସଆଇ କାଶ୍ମୀରର ଯୁବକମାନଙ୍କୁ ମତାଉଛି ଅଥବା ପ୍ରଲୋଭିତ କରୁଛି । କିନ୍ତୁ ଆତଙ୍କବାଦୀ ହେବା ପରେ ସେ ଅନୁଭବ କରିଥିଲା ଯେ ସେ ଭୁଲ ବାଟରେ ଯାଉଛି । ପାକିସ୍ତାନ କଥାରେ ପଡି ଭାରତୀୟ ସେନା ବିରୋଧରେ ଯିବା ଏକ ଭୁଲ ଥିଲା ବୋଲି ସେ ଏହି ଭିଡିଓରେ ସ୍ୱୀକାର କରିଛି । ସେ ମଧ୍ୟ ନିଜର ସାଥୀ ଆତଙ୍କବାଦୀମାନଙ୍କୁ ଆତଙ୍କବାଦ ରାସ୍ତା ଛାଡି ମୁଖ୍ୟଧାରାରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବା ପାଇଁ ଅନୁରୋଧ କରିଛି ।

ସୂଚନାଯୋଗ୍ୟ ଯେ ଗୋଜରୀ କିଛି ଦିନ ତଳେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିଲା । ତେବେ ସେ ଆତ୍ମସମର୍ପଣ କରିଥିବା ଦାବି କରୁଛି । ସେନା ହାଜତରେ ଥିବା ଅବସ୍ଥାରେ ସେ ଏହି ଭିଡିଓ ସୁଟିଂ କରିଛି ।

ସମ୍ବନ୍ଧିତ ଖବର