ଭୋପାଳ: ଏକ ଐତହାସିକ ନିଷ୍ପତ୍ତିକ୍ରମେ ମଧ୍ୟପ୍ରଦେଶ ସରକାର ୫୨ ବର୍ଷ ଧରି ଚାଲିଆସିଥିବା ପ୍ରଥାକୁ ଲୋପ କରିଛନ୍ତି। ପୂର୍ବ ନିୟମାନୁସାରେ, ମଧ୍ୟପ୍ରଦେଶ ରାଜ୍ୟର ମନ୍ତ୍ରିପରିଷଦ ସଦସ୍ୟମାନେ ନିଜର ଆୟ ଉପରେ କୌଣସି କର ଦେଉନଥିଲେ। ନୂତନ ନିୟମାନୁସାରେ, ସମସ୍ତ ମନ୍ତ୍ରୀ ନିଜ ନିଜର ଆୟ ଉପରେ ନିଜେ କର ପୈଠ କରିବେ। ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ୧୯୭୨ ମସିହାରୁ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ଆୟକର ସହାୟତାକୁ ବିଲୋପ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏନେଇ ସୂଚନା ଦେଇ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଦରମା, ଅନ୍ୟାନ୍ୟ ଭତ୍ତା ଆଦି ବାବଦରେ ଦିଆଯାଉଥିବା ଆୟକର ରାଜ୍ୟ ରାଜକୋଷରୁ ଭରଣା କରାଯାଉଥିଲା। ବର୍ତ୍ତମାନ ଆଉ ରାଜ୍ୟସରକାର ଏହି ଭରଣା କରିବେ ନାହିଁ, ମନ୍ତ୍ରୀମ‌ାନେ ନିଜର ଆୟକର ନିଜେ ପ୍ରଦାନ କରିବେ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି, ଆଜି କ୍ୟାବିନେଟ୍‌ରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିର ପ୍ରଭାବ ସୁଦୂରପ୍ରସାରୀ ଅଟେ। ଅନ୍ୟ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ରାଜ୍ୟରେ କାର୍ଯ୍ୟକାରୀହେଉଥିବା ରେଳବାଇ ପ୍ରକଳ୍ପଗୁଡ଼ିକରେ ପୂର୍ତ୍ତବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବ। ସୈନିକ ସ୍କୁଲରେ ପଢ଼ୁଥିବା ଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ ଆଦି ରହିଛି।