ୱାସିଂଟନ : ନୂଆବର୍ଷରେ ଚିନ୍ତାଜନକ ଖବର ଦେଇଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)। ବିଶ୍ବର ଏକ ତୃତୀୟାଂଶ ଦେଶରେ ମାନ୍ଦାବସ୍ଥା ଦେଖାଦେବ ଏବଂ ତାହା ଗତବର୍ଷ ତୁଳନାରେ ଆହୁରି ଭୟଙ୍କର ହୋଇପାରେ ବୋଲି ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି। ଆମେରିକା, ୟୁରୋପ ଏବଂ ଚୀନ୍ ଅର୍ଥନୀତିରେ ଆହୁରି ଅବନତି ଘଟିବ। ଯେଉଁ ଦେଶଗୁଡ଼ିକରେ ମାନ୍ଦାବସ୍ଥା ଦେଖାଦେବନି ସେମାନେ ମଧ୍ୟ ପ୍ରଭାବିତ ହେବେ। ବିଶ୍ବର କୋଟି କୋଟି ଲୋକ ମାନ୍ଦାବସ୍ଥାର ପ୍ରଭାବ ଅନୁଭବ କରିବେ ବୋଲି ସେ କହିଛନ୍ତି।
ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ରୁଷ୍-ୟୁକ୍ରେନ ଯୁଦ୍ଧ କେବେ ଶେଷ ହେବ ତାହା କେହି ଆକଳନ କରିପାରୁନଥିବା ବେଳେ ଦରଦାମ୍ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ଉଚ୍ଚ ସୁଧ ହାର ସ୍ଥିତିକୁ ଆହୁରି ଜଟିଳ କରି ରଖିଛି। ଚୀନ୍ରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଖବର ସାରା ବିଶ୍ବକୁ ଏକ ଭୟର ବାତାବରଣ ଭିତରୁ ଠେଲିଦେଇଛି। ଏବେ ସବୁ ସମସ୍ୟା ଥିବା ବେଳେ ପୁଣି ଏକ ମାନ୍ଦାବସ୍ଥା ଆସୁଥିବାର ଚେତାବନୀ ଦେଇ ଆଇଏମ୍ଏଫ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଇଏମ୍ଏଫ୍ ମୁଖ୍ୟ ଜୋର୍ଜିଭା କହିଛନ୍ତି ଯେ ୨୦୨୧ରେ ବିଶ୍ବ ଅଭିବୃଦ୍ଧି ହାର ୬ ପ୍ରତିଶତ ଥିଲା। ୨୦୨୨ରେ ତାହା ୩.୨ ପ୍ରତିଶତକୁ ଏବଂ ୨୦୨୩ରେ ଆହୁରି ତଳକୁ ୨.୭ ପ୍ରତିଶତକୁ ହ୍ରାସ ପାଇବ। ୨୦୦୧ ପରେ ପ୍ରଥମ ଥର ଲାଗି ବିଶ୍ବ ଅର୍ଥନୀତି ଏଭଳି ଦୁର୍ବଳ ସ୍ତରକୁ ଖସିବ। ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୦୮ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଏବଂ କରୋନା ମହାମାରୀକୁ ବାଦ ଦେଲେ ଅନ୍ୟ କୌଣସି ବର୍ଷରେ ବିଶ୍ବ ଅର୍ଥନୀତି ଏଭଳି ଦୟନୀୟ ପ୍ରଦର୍ଶନ କରିନଥିଲା ବୋଲି ସେ କହିଛନ୍ତି। ଆସନ୍ତା କିଛି ପାଇଁ ଚୀନ୍ ପାଇଁ ବେଶ କଠିନ ରହିବ। ଚୀନ୍ର ଅଭିବୃଦ୍ଧି ପ୍ରଭାବିତ ହେବ ଓ ତାହା ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବ।