ଅକାଳ ବିୟୋଗ ପୂର୍ବରୁ ଏମିତି ଥିଲା ରାଜୁ ଶ୍ରୀବାସ୍ତବଙ୍କ ମହତ୍‌ ପରିକଳ୍ପନା

ନୂଆଦିଲ୍ଲୀ: ‘ଷ୍ଟାଣ୍ଡ୍‌-ଅପ୍‌ କମେଡି’ ସୋ’ କରାଇ ବଡ଼ ‘ଓଟିଟି’ ପ୍ଲାଟ୍‌ଫର୍ମରେ ତାହାର ‘ଲାଇଭ୍‌ ଷ୍ଟ୍ରିମ୍‌’ କରିବା ପାଇଁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ରାଜୁ ଶ୍ରୀବାସ୍ତବ ପରିକଳ୍ପନା କରିଥିଲେ ବୋଲି ତାଙ୍କର ଜଣେ ଅନ୍ତଃରଙ୍ଗ ବନ୍ଧୁଙ୍କ ସୂତ୍ରରୁ ପ୍ରକାଶ।

ରାଜୁଙ୍କର ଘନିଷ୍ଠ ବନ୍ଧୁ ତଥା ହାସ୍ୟାଭିନେତା କୃଷ୍ଣ ଅଭିଷେକ ଗଣମାଧ୍ୟମକୁ କହିଛନ୍ତି, ଜୀବନର ଏଭଳି ଅବସ୍ଥାରେ ବି ସେ ଏତେ ବଡ଼ ପରିକଳ୍ପନା କରିଥିଲେ। ଉଦୀୟମାନ ତଥା ଭବିଷ୍ୟତରେ ଭଲ କରିପାରିବେ ବୋଲି ସମ୍ଭାବନା ଥିବା ମଞ୍ଚ କଳାକାରମାନଙ୍କୁ ସୁଯୋଗ ଦେବା ପାଇଁ ସେମାନଙ୍କ ପ୍ରଦର୍ଶନକୁ ଗୋଟାଏ ବଡ଼ ଧରଣର ‘ଓଭର୍‌ ଦି ଟପ୍‌’ (ଓଟିଟି) (ଇଣ୍ଟର୍‌ନେଟ୍‌ରେ ସିଧା ପ୍ରସାରଣ କରିବା) ଜରିଆରେ ପ୍ରସାରଣ କରିବା ଭଳି ସଂସ୍ଥାନ ରାଜୁ ଖୋଜୁଥିଲେ। ଚଳଚ୍ଚିତ୍ର ପ୍ରସ୍ତୁତି କରିବା ଓ ସେଥିପାଇଁ ଦିନ ଦିନ ଧରି ବାହାରେ ସୁଟିଙ୍ଗ୍‌ କରିବା ସପକ୍ଷରେ ସେ ନ ଥିଲେ। ‘ଷ୍ଟାଣ୍ଡ୍‌-ଅପ୍‌’ କମେଡି ସ‌ୋ’ ପ୍ରଯୋଜନା କରିବା ଯୋଜନା ସେ ତାଙ୍କର ଅଳ୍ପ କେତେ ଜଣ ବନ୍ଧୁଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ମୃତ୍ୟୁ ଘଟିବା ଦୁଃଖର ବିଷୟ। ରାଜୁ ଭାଇଙ୍କ ଆରୋଗ୍ୟ କାମନା କରି ମୁଁ ପ୍ରାର୍ଥନା କରିଥିଲି। ତାଙ୍କୁ ମୁଁ ୧୮ ବର୍ଷ ବୟସରୁ ଜାଣିଥିଲି। ସେତେବେଳେ ମୁଁ ନିର୍ଦେଶନା କ୍ଷେତ୍ରରେ ସହକାରୀ ଭାବେ କାମ କରୁଥିଲି। ସହ-ନିର୍ଦେଶକ ଭାବେ ମୁଁ ପ୍ରଥମ ସିନେମାରେ କାମ କରୁଥିବା ବେଳେ ଅଭିନେତାମାନଙ୍କ ମଧ୍ୟରେ ରାଜୁଭାଇ ଥ‌ିଲେ ଅନ୍ୟତମ। ସେବେଠାରୁ ତାଙ୍କ ସହିତ ମୋର ଭାବବିନିମୟ ହୋଇଥିଲା। ତାଙ୍କ ସହିତ ମୁଁ ସିନେମାରେ ବି ଅଭିନୟ କରିଛି। ଆମେ ଏକତ୍ର ଅନେକ ସୋ’ କରିଛୁ। ତାଙ୍କର ମୃତ୍ୟୁ ବାସ୍ତବରେ ଦୁଃଖଦାୟକ। ତାଙ୍କ ପରିବାର ପ୍ରତି ମୋର ସମବେଦନା।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ହୃଦ୍‌ଘାତରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ୫୮ ବର୍ଷ ବୟସରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଯାଇଛି। ଦୟାଳୁ ସ୍ବଭାବର ରାଜୁ ହାସ୍ୟରସାତ୍ମକ ଅଭିନୟ କରିବା ସହ ସାଧାରଣ ଜୀବନରେ ବି ଭାରି ରହସ୍ୟ କରୁଥିଲେ।

ସମ୍ବନ୍ଧିତ ଖବର