ମୁମ୍ବାଇ: ଦୁଇବର୍ଷର ଆର୍ଥିକ ମାନ୍ଦାବସ୍ଥା ଏବଂ କରୋନା ମହାମାରୀ ସିନେମା ଶିଳ୍ପକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। କିନ୍ତୁ ଚଳିତବର୍ଷ ଏଥିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଛି। ଦକ୍ଷିଣ ଭାରତୀୟ ସିନେମାର ଅଗ୍ରଗତି ବକ୍ସ ଅଫିସକୁ ଅଧିକ ସଫଳତା ଦେଇଛି। ଚଳିତବର୍ଷ ଭାରତୀୟ ସିନେମା ଶିଳ୍ପ ୧୧ ହଜାର କୋଟି ଟଙ୍କା ନିକଟତର ହେବ । ଏହା ୨୦୧୯ର ବ୍ୟବସାୟ ପାଖାପାଖି ରହିବ। ୨୦୧୯ ବର୍ଷ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମା ପାଇଁ ସବୁଠୁ ଭଲ ବର୍ଷ ଥିଲା।
ଡିସେମ୍ବରରେ ଦୁଇଟି ବଡ଼ ସିନେମା ରିଲିଜ ହେଉଛି। ତାହା ହେଲା ଅବତାର: ଦ ୱେ ଅଫ୍ ୱାଟର ଏବଂ ସର୍କସ। ଉକ୍ତ ସିନେମା ଦ୍ବୟ ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି। ଫଳରେ ଚଳିତବର୍ଷର ବକ୍ସ ଅଫିସ ପାଖାପାଖି ୧୦୫୦୦ରୁ ୧୦ ହଜାର ୭୦୦ କୋଟି ଟଙ୍କା ପାଖାପାଖି ରହିବ ବୋଲି ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଲିଜରର ଚିଫ୍ ପ୍ରୋଗ୍ରାମିଂ ଅଫିସର ରାଜେନ୍ଦ୍ର ସିଂହ ଜ୍ୟାଲା କହିଛନ୍ତି।
ଭାଷା ଅନୁସାରେ ଦେଖିଲେ ହିନ୍ଦୀ ସିନେମାର ବକ୍ସ ଅଫିସ ବ୍ୟବସାୟ ମୋଟ ବ୍ୟବସାୟରେ ୨୦୧୯ରେ ୫୨ ପ୍ରତିଶତ ଥିବାବେଳେ ୨୦୨୨ରେ ୪୦ ପ୍ରତିଶତକୁ ହ୍ରାସ ପାଇଛି ବୋଲି ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି ତଥା ପିଭିଆର ପିକଚର୍ସର ସିଇଓ କମଲ ଗ୍ଲାଚନ୍ଦାନି କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ସିନେମା ସମେତ ଅଣ ହିନ୍ଦୀ ସିନେମାର ଅଂଶ ୨୦୧୯ରେ ୪୦ ପ୍ରତିଶତ ଥିବାବେଳେ ଏହା ଏବେ ୫୨ ପ୍ରତିଶତରେ ପହଞ୍ଚିଛି। ହଲିଉଡ ସିନେମାର ଅଂଶ ୮ ପ୍ରତିଶତରେ କିନ୍ତୁ ଏହି ସମୟ ମଧ୍ୟରେ ସ୍ଥିର ରହିଛି।
ଦକ୍ଷିଣ ଭାରତର ୪ଟି ଭାଷା ମଧ୍ୟରୁ ତାମିଲ ଓ ତେଲୁଗୁ ସିନେମାର ଯୋଗଦାନ ବକ୍ସ ଅଫିସରେ ୨୦୧୯ରେ ପ୍ରାୟ ୧୩ରୁ ୧୪ ପ୍ରତିଶତ ଥିଲା। ଚଳିତବର୍ଷ ତାହା ୧୮ରୁ ୨୨ ପ୍ରତିଶତକୁ ବୃଦ୍ଧି ପାଇଛି। କନ୍ନଡ ସିନେମାର ଯୋଗଦାନ ଏହି ସମୟ ମଧ୍ୟରେ ୪.୫ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି ପାଇଛି।