ନୂଆଦିଲ୍ଲୀ: ୧୫ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କ ଟିକାକରଣ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶକ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି କି ୨୦୦୫, ୨୦୦୬ ଏବଂ ୨୦୦୭ ମସିହାରେ ଜନ୍ମିତ ପିଲାମାନେ କୋଭିଡ୍ ଟିକା ନେଇପାରିବେ। ପୂର୍ବରୁ ୨୦୦୭ ମସିହାରେ ଜନ୍ମିତ ପିଲାଙ୍କ ଟିକାକରଣକୁ ନେଇ ସଂଶୟ ରହିଥିଲା। ବର୍ତ୍ତମାନ ଏହା ଦୂର ହୋଇଛି। ଯେଉଁମାନେ ୨୦୨୩ ଜାନୁଆରି ସୁଦ୍ଧା ୧୫ ବର୍ଷ ବୟସରେ ଉପନୀତ ହେଉଥିବେ ସେମାନେ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ସାମିଲ ହୋଇ ଟିକା ନେଇ ପାରିବେ ବୋଲି କୁହାଯାଇଛି।
Additional Secretary&Mission Director NHM writes a letter to states & UT's that "those attaining age of 15 years as on Jan 2023, are eligible for vaccine under 15-18 age group. It has been clarified that those born in years 2005, 2006 & 2007 are eligible in 15-18 years' category" pic.twitter.com/RI5Y2A9dgc
— ANI (@ANI) January 27, 2022
ଦେଶରେ ଜାନୁଆରି ୪ ତାରିଖ ଠାରୁ ୧୫-୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଛି। ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲ, ସ୍କୁଲ ଓ ଟିକାକରଣ କେନ୍ଦ୍ରରେ ଏହି ବୟସ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାୟୀ ପିଲାଙ୍କୁ କେବଳ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକା ଦିଆଯାଉଛି । ଡିସେମ୍ବର ୨୫ ତାରିଖରେ ପିଲାଙ୍କୁ ଟିକା ଦେବା ନେଇ ଘୋଷଣା କରାଯାଇଥିଲା। ଉକ୍ତ ବୟସ ବର୍ଗରେ ଦେଶରେ ୭ରୁ ୮ କୋଟି ପିଲା ଅଛନ୍ତି। ନୂଆବର୍ଷର ପ୍ରଥମ ଦିନରେ ଉକ୍ତ ବୟସ ବର୍ଗରେ ଟିକାକରଣ ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା। ଜାନୁଆରି ୨ ସନ୍ଧ୍ୟା ସୁଦ୍ଧା ଟିକାକରଣ ପାଇଁ କୋୱିନ୍ ଆପ୍ରେ ୭.୬ ଲକ୍ଷ ହିତାଧିକାରୀ ପଂଜୀକୃତ ହୋଇଥିଲେ। ପ୍ରଥମ ଦିନରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କୋୱିନ୍ ପୋର୍ଟାଲରୁ ଜଣାପଡ଼ିଥିଲା।