ଲକ୍ଷ୍ନୌ: ଅକ୍ଟୋବର ୨୪ ତାରିଖରେ ଖେଳାଯାଇଥିବା ‘ଟି୨୦ ବିଶ୍ୱକପ୍’ କ୍ରିକେଟ୍ ମ୍ୟାଚ୍ରେ ଭାରତ ଉପରେ ପାକିସ୍ତାନର ବିଜୟ ପାଳନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଲାଗୁ ହେବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ଏକ ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ ଯୋଗୀ ଆଦିତ୍ୟନାଥ ଏଭଳି ମନ୍ତବ୍ୟ ଦେଇଛନ୍ତି। ଉକ୍ତ ସାକ୍ଷାତ୍କାର ପ୍ରକାଶ ପାଇଥିବା ସମ୍ବାଦପତ୍ର ‘କ୍ଲିପିଙ୍ଗ୍’ ମଧ୍ୟ ଆଦିତ୍ୟନାଥଙ୍କ ଅଫିସ୍ ଟୁଇଟର୍ ହ୍ୟାଣ୍ଡଲ୍ରେ ପୋଷ୍ଟ୍ କରାଯାଇଛି।
ଭାରତ ବିପକ୍ଷରେ ଏହି ଖେଳରେ ପାକିସ୍ତାନର ବିଜୟ ପାଇଁ ଦେଶ-ବିରୋଧୀ ସ୍ଲୋଗାନ୍ ଦେଇ ଆଗ୍ରାରେ ତିନିଜଣ କଶ୍ମୀରୀ ଇଞ୍ଜିନିୟରିଙ୍ଗ୍ ଛାତ୍ର ଗିରଫ ହେବା ପରେ ଯୋଗୀ ଆଦିତ୍ୟନାଥ ଏଭଳି ମନ୍ତବ୍ୟ ଦେଇଛନ୍ତି।
पाक की जीत का जश्न मनाने वालों पर देशद्रोह लगेगा: मुख्यमंत्री श्री @myogiadityanath जी महाराज pic.twitter.com/34DEij8y3t
— Yogi Adityanath Office (@myogioffice) October 28, 2021
ସ୍ଥାନୀୟ ‘ବିଜେପି’ ନେତା ପୁଲିସରେ ଅଭିଯୋଗ କରିବାରୁ କଲେଜ ପ୍ରଶାସନ ସେ ଛାତ୍ରମାନଙ୍କୁ ବହିଷ୍କାର କରିଛି। ‘ଆଇପିସି ସେକ୍ସନ୍ ୧୫୩’, ‘୫୦୫ (୧) (ବି) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ‘ସେକ୍ସନ୍ ୬୬ ଏଫ୍’ରେ ସେମାନଙ୍କୁ ବୁକ୍ କରାଯାଇଛି।
ରବିବାର ଦିନ ଏହି ମ୍ୟାଚ୍ ଶେଷ ହେବା ପରେ, ଆଗ୍ରା, ବରେଲି, ବଦୌନ୍ ଏବଂ ସୀତାପୁର ଆଦି ଜିଲ୍ଲାରୁ ୭ଜଣଙ୍କୁ ୫ଟି ମାମଲାରେ ବୁକ୍ କରାଯାଇଛି।
ରାଜସ୍ଥାନ ଏବଂ ଜମ୍ମୁ ଓ କଶ୍ମୀରରେ ମଧ୍ୟ ଏହି ଧରଣର ମାମଲା ରୁଜୁ ହୋଇଛି।