ହାଓ୍ଵାଇ ଚପଲ ପିନ୍ଧୁଥିବା ଲୋକେ ହାଓ୍ଵାଇ ଜାହାଜରେ ଉଡ଼ିବେ: ଅର୍ଥମନ୍ତ୍ରୀ ଜେଟ୍‌ଲୀ

ନୂଆଦିଲ୍ଲୀ: ହାଓ୍ଵାଇ ଚପଲ ପିନ୍ଧୁଥିବା ଲୋକେ ମଧ୍ୟ ଏବେ ହାଓ୍ଵାଇ ଜାହାଜରେ ଯାତ୍ରା କରି ପାରିବେ ବୋଲି ଆଜି ୨୦୧୮ ବର୍ଷର ବଜେଟ୍‌ ଭାଷଣରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି। ଏଥର ବଜେଟ୍‌ରେ ବିମାନ ବନ୍ଦରର ସାମର୍ଥ୍ୟ ବଢ଼ାଇବାକୁ ଯୋଜନା କରାଯାଇଥିବାରୁ ସାଧାରଣ ଲୋକେ ମଧ୍ୟ ବିମାନ ଯାତ୍ରା କରି ପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ସରକାରଙ୍କ ବିମାନ ସଂଯୋଗୀକରଣ କାର୍ଯ୍ୟକ୍ରମ ‘ଉଡ଼େ ଦେଶ୍‌ କା ଆମ୍‌ ନାଗରିକ୍‌’କୁ ବୁଝାଉଥିବା ‘ଉଡ଼ାନ୍‌’ ପ୍ରକଳ୍ପରେ ଏହା ସମ୍ଭବପର ହୋଇପାରିବ। ବିମାନ ଭଡା ଶସ୍ତା ହୋଇଥିବା ଯୋଗୁଁ ରବର ତିଆରି ସାଧାରଣ ହାଓ୍ଵାଇ ଚପଲକୁ  ନିତ୍ୟବ୍ୟବହାର୍ଯ୍ୟ ଚପଲ ଭାବେ ବ୍ୟବହାର କରୁଥିବା  ସାଧାରଣ ଲୋକ  ବି ଏବେ ବିମାନରେ ଉଡିପାରିବ। ତେଣୁ  ଜେଟ୍‌ଲୀ ଏ ଭଳି ଉଦାହରଣ ଦେଇଛନ୍ତି।

ବର୍ଷକୁ ୧୦୦ କୋଟି ଥର ବିମାନ ଚଳାଚଳ କରାଇବାକୁ ଆମେ ବିମାନ ବନ୍ଦରର ସାମର୍ଥ୍ୟକୁ ୫ ଗୁଣ ବଢ଼ାଇବା ଲାଗି ଯୋଜନା କରୁଛୁ ବୋଲି ଜେଟ୍‌ଲୀ ଉଡ଼ାନ୍‌ର ସମ୍ପ୍ରସାରଣ ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି, ୫୬ଟି ସେବାରହିତ ବିମାନ ବନ୍ଦର ଏବଂ ୩୧ ସେବା ରହିତ ହେଲିପ୍ୟାଡ୍‌କୁ ସଂଯୋଗ କରାଯିବ। ଏ ଭଳି ୧୬ ବିମାନ ବନ୍ଦରରେ ସେବା ଆରମ୍ଭ କରାଯାଇ ସାରିଲାଣି।

ଉଡ଼ାନ୍‌ ଯୋଜନାରେ ଗତ ଏପ୍ରିଲ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଆଞ୍ଚଳିକ ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ। ଶିମଳା-ଦିଲ୍ଲୀ, କଡ଼ାପା-ହାଇଦ୍ରାବାଦ ଏବଂ ନାନ୍ଦେଦ-ହାଇଦ୍ରାବାଦ ମଧ୍ୟରେ ତିନୋଟି ଉଦ୍‌ଘାଟନୀ ବିମାନ ଚଳାଚଳ ଆରମ୍ଭ କରିଥିଲା।

ବଜାର-ଭିତ୍ତିକ ମେକାନିଜମ୍‌ ଜରିଆରେ ଏ ଭଳି ଆଞ୍ଚଳିକ ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ବିଶ୍ୱରେ ପ୍ରଥମ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଥିଲେ। ଜାତୀୟ ବେସାମରିକ ବିମାନ ଚଳାଚଳ ନୀତିରେ ଏହି ମୁଖ୍ୟ ଉପାଦାନ ୨୦୧୬ ମସିହା ଜୁନ୍‌ ୧୫ ତାରିଖ ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।

ହାରାହାରି ୫୦୦ କିଲୋମିଟର୍‌ ଦୂରତାସମ୍ପନ୍ନ ୧ ଘଣ୍ଟାର ଏରୋପ୍ଲେନ୍‌ ଯାତ୍ରା ପାଇଁ ବା ୩୦ ମିନିଟ୍‌ ହେଲିକାପ୍ଟର୍‌ ଯାତ୍ରା ପାଇଁ ୨୫୦୦ ଟଙ୍କା ଭଡା ଲାଗିବ ବୋଲି ଗତ ଏପ୍ରିଲ୍‌ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର