୧୭ ବର୍ଷ ପୂରିଲେ ଭୋଟର ଆଇଡି ପାଇଁ ନାମ ପଞ୍ଜୀକରଣ କରିପାରିବେ

ନୂଆଦିଲ୍ଲୀ: ଗୁରୁବାର ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ଯେ ଯେଉଁ ଯୁବକଯୁବତୀଙ୍କୁ ୧୭ ବର୍ଷ ପୂରି ୧୮ ଚାଲିଛି ସେମାନେ ଭୋଟର ଆଇଡି ପାଇଁ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ୧୮ ବର୍ଷ ପୂରିବା ଯାଏ ଅପେକ୍ଷା କରିବା ଦରକାର ନାହିଁ। ଏଣିକି ପ୍ରତିବର୍ଷ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ପାଇଁ ୪ ଥର ସୁଯୋଗ ମିଳିବ ବୋଲି କମିସନ କହିଛନ୍ତି। ୧୭ ବର୍ଷ ପୂରିବା ମାତ୍ରେ ଯୁବକଯୁବତୀମାନେ ଯେପରି ଭୋଟର ଆଇଡି ପାଇପାରିବେ ତା’ର ବ୍ୟବସ୍ଥା କରିବା ପାଇଁ କମିସନ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ କହିଛନ୍ତି ଯେ ଏଣିକି ବର୍ଷକୁ ଚାରିଥର – ଜାନୁଆରି ପହିଲା, ଏପ୍ରିଲ ପହିଲା, ଜୁଲାଇ ପହିଲା ଏବଂ ଅକ୍ଟୋବର ପହିଲାରେ- ଅର୍ଥାତ୍ ପ୍ରତି ତିନିମାସରେ ଥରେ ଭୋଟର ତାଲିକା ଅପ୍‌ଡେଟ୍ କରାଯିବ। ୧୭ ବର୍ଷ ପୂରୁଥିବା ପ୍ରାର୍ଥୀମାନଙ୍କର ନାମ ଏଥିରେ ସାମିଲ କରାଯିବ। ସେମାନଙ୍କୁ ଏକ ଇଲେକ୍ସନ ଫଟୋ ଆଇଡେଣ୍ଟିଟି କାର୍ଡ (ଇପିଆଇସି) ପ୍ରଦାନ କରାଯିବ।

ଯେଉଁମାନଙ୍କୁ ୧୮ ବର୍ଷ ହୋଇଯାଇଛି ଓ ନାମ ପଞ୍ଜୀକରଣ କରିବାକୁ ଚାହାନ୍ତି ସେମାନଙ୍କୁ ପ୍ଲେ ଷ୍ଟୋର୍‌ରୁ ଏକ ଭୋଟର ହେଲ୍‌ପଲାଇନ୍ ଆପ୍ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଆପ୍‌କୁ ଖୋଲିବା ପରେ ଭୋଟର ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରି ଦ୍ବିତୀୟ ଅପ୍ସନ ‘ନ୍ୟୁ ଭୋଟର୍ ରେଜିଷ୍ଟ୍ରେସନ (ଫର୍ମ ୬)’କୁ ଯିବାକୁ ପଡ଼ିବ। ସେଥିରେ ଆବଶ୍ୟକ ହେଉଥିବା ତଥ୍ୟ ପୂରଣ କରିବାକୁ ହେବ। ତା’ପରେ ନିଜର ଏକ ଫେଟୋ ଅପ୍‌ଲୋଡ୍ କରି ସବ୍‌ମିଟ୍ କରିବାକୁ ହେବ। ଏହା ସହିତ ନାମ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧିତ ଖବର