‘ମୋ ଜେଜେବାପାଙ୍କ ଆଗରେ କହିବା ପରି ଲାଗିଲା’: କବିତାରେ ବିଜେପିର ଗୁଣଗାନ କରିଥିବା କୁନିଝିଅ

ନୂଆଦିଲ୍ଲୀ: ନିକଟରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ‌ାଦୀଙ୍କ କଡ଼ରେ ଛିଡ଼ା ହୋଇ ଏକ କବିତା ଗାଉଥିବାର ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଝିଅଟି ବିଜେପିର ପ୍ରଶଂସା କରୁଥିବାର ଶୁଣିବାକୁ ମିଳିଛି। କବିତା ଗାଇବା ପରେ ପଚରା ଯିବାରୁ କୁନି ଝିଅଟି କହିଛି ଯେ କବିତା ଆବୃତ୍ତି ବେଳେ ତାକୁ ଟିକେ ବି ଭୟ ଲାଗିନଥିଲା। ଏପରି ଲାଗୁଥିଲା ଯେପରି ସେ ନିଜ ଜେଜେବାପାଙ୍କ ସମ୍ମୁଖରେ କବିତା ଗାଉଥିଲା।

କୁନି ଝିଅଟିର କବିତା ଆବୃତ୍ତିକୁ ମୁଣ୍ଡ ହଲାଇ ହଲାଇ ମୋଦୀ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ‌ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କୁନି ଝିଅଟିର ମୁଣ୍ଡରେ ହାତ ବୁଲାଇ ସାବାସ ବୋଲି ବି କହୁଛନ୍ତି।

ଭିଡିଓଟିକୁ ବିଜେପି ତା’ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛି। ୭୫ ସେକେଣ୍ଡ୍‌ର ଏହି ଭିଡିଓଟିରେ ନିଜ ଦଳର ପ୍ରଶଂସା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ମୁରୁକା ହସ ମାରୁଥିବା ବି ଭିଡିଓରେ ଦେଖିବାକୁ ମିଳିଛି।

 

ଝିଅଟି ଗୁଜୁରାଟୀରେ କହୁଛି, ‘ବିଜେପି ବିଜେପି ବିଜେପି, ଯେଉଁଠାରେ ତୁମେ ଦେଖିବ,ବିଜେପି ପାଇବ। ସବୁ ଆଲୋଚନା ବିଜେପିରୁ ଆରମ୍ଭ ବିଜେପିରେ ହୁଏ ଶେଷ। ବିଜେପିକୁ ହରାଇବା ପାଇଁ ‌ଲୋକେ ବିଭିନ୍ନ ପ୍ରକାରର ଖେଳ କରୁଛନ୍ତି।

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କଂଗ୍ରେସ ଏହାକୁ ନେଇ ଖୁବ୍‌ ସମାଲୋଚନା କରିଛି। ରାଜନୈତିକ ଡ୍ରାମାରେ ଏକ କୁନି ପିଲାକୁ ସଂପୃକ୍ତ କରାଇ ମୋଦୀ ନିନ୍ଦାର ପାତ୍ର ହୋଇଛନ୍ତି ବୋଲି କଂଗ୍ରେସ କହିଛି। ଏହି ଘଟଣାକୁ ହାତକୁ ନେବାକୁ କଂଗ୍ରେସ ଭାରତର ନିର୍ବାଚନ ଆୟୋଗ ଓ ଏନ୍‌ସିପିସିଆର୍‌କୁ ନିବେଦନ କରିଛି।

ସମ୍ବନ୍ଧିତ ଖବର