ଗୌହାଟି/ଡିବ୍ରୁଗଡ଼: ‘ଅଲ୍ ଆସାମ ଷ୍ଟୁଡେଣ୍ଟ୍ସ୍ ୟୁନିୟନ୍’ ଏବଂ ଅନ୍ୟ ୩୦ଟି ସ୍ଥାନୀୟ ସଙ୍ଗଠନଙ୍କ ଆହ୍ଵାନକ୍ରମେ ନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆସାମର ହଜାର ହଜାର ମହିଳା ଶନିବାର ଦିନ ରାସ୍ତା ଉପରକୁ ଚାଲିଆସିଥିଲେ।
ରାଜ୍ୟର ମୂଳ ସମ୍ପ୍ରଦାୟଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ନିମନ୍ତେ ‘ସିଏଏ’କୁ ନିଃସର୍ତ୍ତ ପ୍ରତ୍ୟାହାର କରିନେବାକୁ ଶହ ଶହ ଗୃହିଣୀ ଏବଂ ବୟସ୍କା ମହିଳା କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲେ। ପ୍ଲାକାର୍ଡ ଧରି ‘ସିଏଏ’ ବିରୋଧୀ ସ୍ଲୋଗାନ୍ ଦେଇ ମହିଳା ସଙ୍ଗଠନଗୁଡ଼ିକ କହିଛନ୍ତି ଯେ ‘ସିଏଏ’ ହେଉଛି ‘ଅସାମ୍ବିଧାନିକ’ ଓ ‘ସାମ୍ପ୍ରଦାୟିକ’ ଆଇନ। ପ୍ରତିଦାବକାରିଣୀ ମହିଳାମାନେ ସହରର ବିଭିନ୍ନ ଅଞ୍ଚଳରୁ ପଦଯାତ୍ରା କରି ଲାଟସିଲ୍ ଖେଳପଡ଼ିଆରେ ସମବେତ ହୋଇଥିଲେ।
/sambad/media/post_attachments/wp-content/uploads/2019/12/no-caa-1-300x203.jpg)
‘ଅଲ୍ ଆସାମ ଷ୍ଟୁଡେଣ୍ଟ୍ସ୍ ୟୁନିୟନ୍’ କହିଛି: ବିଶ୍ୱର ଯେ କୌଣସି ଆନ୍ଦୋଳନକୁ ସଫଳ କରାଇବା ନିମନ୍ତେ ମହିଳାମାନଙ୍କ ଅଂଶଗ୍ରହଣ ହେଉଛି ମୁଖ୍ୟ କଥା। ଆସାମ ଆନ୍ଦୋଳନକୁ ସଫଳ କରାଇବାରେ ମହିଳାମାନେ ବିଶେଷ ଅବଦାନ ଦେଇଥିଲେ। ‘ସିଏଏ’ ରଦ୍ଦ ହେବା ଯାଏଁ ଏହି କଠୋର, ଅହିଂସା ଏବଂ ଶୃଙ୍ଖଳିତ ଆନ୍ଦୋଳନ ଚାଲୁ ରହିବ।
ସୋମବାର ଦିନ ସମାଜର ସବୁବର୍ଗର ପୁରୁଷ ଓ ମହିଳା ଏକତ୍ର ହୋଇ ରାଜ୍ୟ ତମାମ ‘ସିଏଏ’କୁ ବିରୋଧ କରି ଧାରଣା ଦେବେ।