ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟବୃଦ୍ଧିରେ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବ। ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

Advertisment

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି। ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି। ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ଉନ୍ନତ ଧରଣର ହେବ। ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି। ୨ଠଠ୭ ଓ ୨ଠ୧୧ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରାଇ ଦେଇଥିଲେ। ଆଜି ଅଧିକାଂଶ କମିଟିରେ ମହିଳାଙ୍କ ବେଶ୍ ଭଲ ପ୍ରତିନିଧିତ୍ୱ ରହିଛି। କ୍ଷୀର ବାବଦ ଅର୍ଥ ପଇଠ ମହିଳାଙ୍କୁ କରାଯାଇଥାଏ ବୋଲି ସେ କହିଥିଲେ।

ଏହି ପରୀକ୍ଷାମୂଳକ ବ୍ୟବସ୍ଥା ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥାଏ। ଆଜି ଦେଶରେ ଦଶ ହଜାର ଚାଷୀ ଉତ୍ପାଦକ ସଂଘ (ଏଫ୍‌ପିଓଏସ୍) ପୂରା ଦମ୍‌ରେ କାର୍ଯ୍ୟ କରୁଛି। ଏହି ଏଫ୍‌ପିଓଗୁଡ଼ିକ ଜରିଆରେ କ୍ଷୁଦ୍ର ଚାଷୀମାନେ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନି ଓ ଯୋଗାଣ ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି। ଗୁଜରାଟର ଚାଷୀମାନେ ମଧ୍ୟ ଏହାଦ୍ୱାରା ଅନେକ ଲାଭ ପାଇବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିମ ପ୍ରଲେପଯୁକ୍ତ ୟୁରିଆ ପାଇଁ ପଦକ୍ଷେପ, ବାଦ୍‌ ପଡ଼ି ରହିଥିବା ସାର କାରଖାନାଗୁଡ଼ିକର ପୁନରୁଦ୍ଧାର, ବିଶ୍ୱ ବଜାରରେ ଦରବୃଦ୍ଧି ସତ୍ତ୍ୱେ ଛୋଟ ଛୋଟ ସାର କାରଖାନା ପ୍ରତିଷ୍ଠା କରି ସୁଲଭ ମୂଲ୍ୟରେ ୟୁରିଆ ଯୋଗାଣ ଉଭୟ ଦେଶ ଓ ଗୁଜରାଟର ଚାଷୀମାନଙ୍କୁ ଉପକୃତ କରିଛି। ସୁଜଳାଂ ସୁଫଳାଂ ଯୋଜନା ଯୋଗୁଁ ସାବରକଣ୍ଟା ଜିଲ୍ଲାର ଅଧିକାଂଶ ତହସିଲକୁ ଜଳ ଯୋଗାଣ ହୋଇଛି। ସେହିପରି ଜିଲ୍ଲା ଓ ତାହାର ଆଖପାଖ ଅଞ୍ଚଳକୁ ସଂଯୋଗୀକରଣ ମଧ୍ୟ ବୃଦ୍ଧି ପାଇଛି। ସେ ଅଞ୍ଚଳରେ ରାଜପଥ ଓ ରେଳପଥ ଯୋଗୁଁ ସଂଯୋଗୀକରଣରେ ଉନ୍ନତି ଘଟିଛି।

ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ଉଦ୍‌ଘାଟନ କରିଥିବା ପାଉଡ଼ର ପ୍ଲାଣ୍ଟର ଦୈନିକ କ୍ଷମତା ହେଉଛି ୧୨ଠ ନିୟୁତ ମେଟ୍ରିକ ଟନ। ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟି ଟଙ୍କାରୁ ଅଧିକ। ପ୍ଲାଣ୍ଟର ନିର୍ମାଣ ଶୈଳୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନକ ପୂରଣ କରୁଛି। ଏହା ଖୁବ୍‌ ଉଚ୍ଚ ଶକ୍ତିସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦ୍‌ଗିରଣ ନାହିଁ କହିଲେ ଚଳେ। ଏହି କାରଖାନା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ସ୍ୱୟଂକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି।

ପ୍ରଧାନମନ୍ତ୍ରୀ ସାବର ଡାଏରୀର ଏକ ପାଚନକ୍ରିୟା ବିହୀନ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦ୍‌ଘାଟନ କରିଛନ୍ତି। ଏହି କାରଖାନାର ଉତ୍ପାଦନ ସାମର୍ଥ୍ୟ ହେଉଛି ଦୈନିକ ୩ ଲକ୍ଷ ଲିଟର। ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ଓ ପରିବେଶ ଅନୁକୂଳ ଏବଂ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ। ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ବାବଦ ପ୍ରାୟ ୬ଠଠ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଦିନକୁ ୨ଠ ନିୟୁତ ଟନ୍ ଛେଦାର ଛେନା, ୧ଠ ନିୟୁତ ଟନ ମୋଜେରେଲା ଛେନା ଓ ୧୬ ନିୟୁତ ଟନ୍ ପ୍ରକ୍ରିୟାକୃତ ଛେନା ଉତ୍ପାଦନ କରିବ। କାର୍ଯ୍ୟ ଆରମ୍ଭ କରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦୈନିକ ୪ଠ ନିୟୁତ ଟନ ଡ୍ରାଇ ହେବ। ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀକୁ ଅମୁଲ ଛାପରେ ବଜାରକୁ ଛାଡ଼ିଥାଏ।