ମୁମ୍ବାଇରେ ହଜାରେ କୋଟିର ହେରୋଇନ୍‌ ଜବତ, ଇରାନ୍ ଦେଇ ଆଫଗାନିସ୍ତାନରୁ ଆସିଥିଲା

ପ୍ଲାଷ୍ଟିକ୍ ପାଇପ୍‌ରେ ବାଉଁଶ ଆକୃତି ଓ ରଙ୍ଗ ଦେଇ ଅଣାଯାଇଛି, ଆର୍ୟୁବେଦ ଔଷଧ ନାମରେ ଆସିଥିଲା

ମୁମ୍ବାଇ: ମୁମ୍ବାଇରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରା କାରବାର ଧରାପଡ଼ିଛି। ବଡ଼ ଧରଣର ଚଢ଼ଉ ହୋଇ ପ୍ରାୟ ୧ ହଜାର କୋଟି ଟଙ୍କାର ୧୯୧ କେଜି ହେରୋଇନ୍‌ ଜବତ ହୋଇଛି। ଗତକାଲି ରାତିରେ ମୁମ୍ବାଇର ନବ ସେବା ପୋର୍ଟ‌୍‌ରୁ ଏହି ହେରୋଇନ୍‌ ଜବତ ହୋଇଛି। ଆଫଗାନିସ୍ତାନରୁ ଇରାନ ଦେଇ ହେରୋଇନ୍‌ ଏଠାକୁ ଆସିଥିବା ଜଣାପଡ଼ିଛି। ଚୋରା ଚାଲାଣକାରୀମାନେ ହେରୋଇନ୍‌କୁ ପ୍ଲାଷ୍ଟିକ୍‌ ପାଇପ୍‌ରେ ଭର୍ତ୍ତି କରି ବନ୍ଦ କରିଦେଇଥିଲେ ଏବଂ ଏହାର ଉପର ଭାଗକୁ ସେମାନେ ବାଉଁଶ ଆକୃତି ଦେବାପାଇଁ ରଙ୍ଗ କରିଦେଇଥିଲେ। ଆୟୁର୍ବେଦିକ ଔଷଧ ଘୋଷଣା କରି ଏହି ହେରୋଇନ୍‌ ଗୁଡ଼ିକୁ ସେମାନେ ଆଣିଥିଲେ। ତେବେ ଉକ୍ତ ଆମଦାନିକୁ ଦଲିଲ୍‌ କରିଥିବା ୨ ଜଣ କଷ୍ଟମ୍‌ ହାଉସ୍‌ ପ୍ରତିନିଧିଙ୍କୁ ଗିରଫ କରାଯାଇଛି।

୨ କଷ୍ଟମ ହାଉସ୍ ପ୍ରତିନିଧି ଗିରଫ
ଦିଲ୍ଲୀର ଆମଦାନିକାରୀ, ଅର୍ଥଦାତାଙ୍କ ସଂପୃକ୍ତି ଅଭିଯୋଗ

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀରୁ ଜଣେ ଆମଦାନିକାରୀ ଏବଂ ଜଣେ ଅର୍ଥଦାତାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ମୁମ୍ବାଇ ଆଣି ଜେରା କରାଯାଉଛି। କ‌ଷ୍ଟମ୍‌ ହାଉସ୍‌ ପ୍ରତିନିଧି ମୀନାନାଥ ବୋଡାକେ ଏବଂ କୋଣ୍ଡିଭାଉ ପାଣ୍ଡୁରାଙ୍ଗ୍‌ ଗୁଞ୍ଜଲ୍‌ ଏକ ସ୍ଥାନୀୟ କୋର୍ଟ‌୍‌ରେ ହାଜର ହୋଇଛନ୍ତି। ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ନିଆଯାଇଛି। ତଦନ୍ତରୁ ଏହା ଜଣାପଡ଼ିଛି ଯେ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏହି ସମାନ ପରିମାଣର ହେରୋଇନ୍‌ର ଚୋରା ଚାଲାଣ କରିଥିଲା। ମୁମ୍ବାଇରେ ଏହା ସବୁଠୁ ବଡ଼ ନିଶାଦ୍ରବ୍ୟ କାରବାର ରୢାକେଟ୍‌ ବୋଲି ଅଧିକାରୀମାନେ କହିଛନ୍ତି। ଗତ ଜାନୁଆରି ୩୧ରେ ପଂଜାବ ପୁଲିସର ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ‌୍ ୧୯୪ କୋଟି ଟଙ୍କାର ହେରୋଇନ୍‌ ଏବଂ ଅନ୍ୟ ନିଷିଦ୍ଧ ଦ୍ରବ୍ୟ ଜବତ କରିଥିଲା।

ସମ୍ବନ୍ଧିତ ଖବର