ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ ସାର୍ଡାଇନ୍ ଓ ମ୍ୟାକ୍ରଲ୍ ସମେତ ଅସଂଖ୍ୟ ମଲାମାଛ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି ବୋଲି ସମ୍ବାଦପତ୍ର ‘ମେଟ୍ରୋ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଗୁରୁବାର ସକାଳେ ଜାପାନର ସୁଦୂର ଉତ୍ତରପ୍ରାନ୍ତ ଅନ୍ତର୍ଗତ ହୋକ୍କାଇଡୋ ଦ୍ବୀପ ଅନ୍ତର୍ଗତ ହାକୋଡାଟେ ସମୁଦ୍ର ତଟର ଅଧମାଇଲ୍ ଅଞ୍ଚଳ ଅସୁମାରି ମଲାମାଛରେ ଛାଇ ହୋଇଯାଇଥିଲା।
ସ୍ଥାନୀୟ ବାସିନ୍ଦା ମାଛ ସବୁ ଗୋଟାଇ ନେଇ ବିକ୍ରି କରିବାରୁ, ଏହି ମାଛ ନ ଖାଇବାକୁ ସରକାରୀ ଅଧିକାରୀମାନେ ଚେତାବନୀ ଜାରି କଲେ।
ପ୍ରକୃତ ରହସ୍ୟ ଜଣାପଡ଼ି ନ ଥିଲେ ବି ଫୁକୁସିମା ଆଣବିକ ପ୍ଲାଣ୍ଟ୍ରୁ ଛଡ଼ାଯାଇ ଥିବା ‘ରେଡିଓଆକ୍ଟିଭ୍’ ପାଣି ଯୋଗୁଁ ଏତେ ସଂଖ୍ୟକ ମାଛ ମରିଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।
‘ଜାପାନ ଟୁଡେ’ ରିପୋର୍ଟରେ କୁହାଯାଇଛି, ‘ହାକୋଡାଟେ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ’ର ଗବେଷକ ତାକାସି ଫୁଜିଓକା କହିଛନ୍ତି, ଏଭଳି ଘଟଣା ସଂକ୍ରାନ୍ତରେ ସେ ଆଗରୁ ଶୁଣିଥିଲେ ବି ପ୍ରଥମ କରି ଦେଖୁଛନ୍ତି।
ମାଛମୃତ୍ୟୁର ସମ୍ଭାବ୍ୟ କାରଣ ସୂଚାଇ ସେ କହିଛନ୍ତି ଯେ, ଗୋଟିଏ ସମ୍ଭାବ୍ୟ କାରଣ ହେଉଛି କୌଣସି ପ୍ରକାଣ୍ଡ ମାଛ ଗୋଡ଼ାଇବାରୁ ଏହି ମାଛ ସବୁ ପହଁରି ପହଁରି କ୍ଳାନ୍ତ ହୋଇଯିବା ପରେ ଢେଉରେ ଉଠିଆସି କୂଳରେ ପଡ଼ି ମରିଛନ୍ତି। ଆଉ ଏକ ସମ୍ଭାବ୍ୟ କାରଣ ହେଉଛି, ଦେଶାନ୍ତର ଯାତ୍ରାରେ ଯାଉଥିବା ବେଳେ ଏହି ମାଛସମୂହ ହଠାତ୍ ଥଣ୍ଡା ପାଣିରେ ପ୍ରବେଶ କରିବାରୁ କୂଳ ଉପରକୁ ଉଠି ଆସି ମରିଛନ୍ତି। କିନ୍ତୁ, ପ୍ରକୃତ କାରଣ କହିବା କଷ୍ଟକର। ତେଣୁ, ସେ ମାଛ ଖାଇବା ଅନୁଚିତ।
ସରକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା କରିବା ଲାଗି କେତୋଟି ମାଛ ଗୋଟାଇ ନେଇଛନ୍ତି।