ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ହଜାର ହଜାର କୃଷକ ଆସନ୍ତା ୭ ତାରିଖରେ ଜନ୍ତରମନ୍ତରରେ ପହଞ୍ଚିବେ। ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ବ୍ୟାନରରେ କୃଷକମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜାତୀୟ ସ୍ତରରେ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

Advertisment

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀର ଜନ୍ତରମନ୍ତରରେ ଖାପ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ମହାପଞ୍ଚାୟତର ଗୋଟିଏ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି। ପକ୍ସୋ ଆକ୍ଟ ସମେତ ଦୁଇଟି ଏଫଆଇଆରର ସମ୍ମୁଖୀନ ହୋଇଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକ ସଂଗଠନ ଦାବି କରିଛି।

ମେ’ ୭ ତାରିଖରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନେକ ବରିଷ୍ଠ ନେତା ଶତାଧିକ କୃଷକଙ୍କ ସହ ଜନ୍ତରମନ୍ତରରେ ଆନ୍ଦୋଳନ ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବେ। ଏସ୍‌କେଏମ୍‌ ନେତାମାନେ ଦିଲ୍ଲୀ ପୁଲିସ କମିଶନର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧି ଦଳ ସହ ଯିବେ ଏବଂ ବ୍ରଜ ଭୂଷଣ ସିଂହଙ୍କୁ ଗିରଫ କରିବାକୁ ଦାବି କରିବେ।

ଏଥିସହ ଆସନ୍ତା ୧୧ ରୁ ୧୮ ତାରିଖ ପର୍ଯ୍ୟନ୍ତ କୃଷକ ସଂଗଠନ ପକ୍ଷରୁ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ସଦର ମହକୁମାରେ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ।

ଏସକେଏମ ମଧ୍ୟ ଦିଲ୍ଲୀ ପୁଲିସ ଏହି ମାମଲାରେ ଯଥେଷ୍ଟ ସମ୍ବେଦନଶୀଳତାର ସହ କାର୍ଯ୍ୟ କରୁ ନଥିବା ଅଭିଯୋଗ କରିଛି ଏବଂ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନଙ୍କୁ ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ଘଟଣାକୁ ନିନ୍ଦା କରିଛି।

ଉଲ୍ଲେଖଯୋଗ୍ୟ, ଭାରତର ଶୀର୍ଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ଅନ୍ୟ ପ୍ରମୁଖ କୁସ୍ତିଯୋଦ୍ଧାମାନେ ଏପ୍ରିଲ ମାସରୁ ଦିଲ୍ଲୀର ଜନ୍ତରମନ୍ତର ଠାରେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଧମକ ଦେବା ଅଭିଯୋଗରେ ଧାରଣାରେ ବସିଛନ୍ତି।