ନ୍ୟୁୟର୍କ: ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣ ବୃଦ୍ଧି ଭୟ ହେତୁ ବଡ଼ଦିନ ସପ୍ତାହାନ୍ତରେ ବିଶ୍ବବ୍ୟାପୀ ୪୫୦୦ରୁ ଅଧିକ ବ୍ୟାବସାୟିକ ବିମାନ ଉଡ଼ାଣ ବାତିଲ କରାଯାଇଥିବାରୁ ବହୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ ଏୟାର୍ଲାଇନ୍ ସବୁ ବିଶ୍ବବ୍ୟାପୀ ଅନ୍ୟୂନ ୨,୪୧୦ଟି ବିମାନ ଯାତ୍ରା ବାତିଲ କରିଛନ୍ତି। ପ୍ରାୟ ୧୦,୦୦୦ ବିମାନ ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିବା କଥା ‘ଫ୍ଲାଇଟ୍ଆୱେର୍ ଡଟ୍ କଅମ୍’ରୁ ଜଣାପଡ଼ିଛି।
ଉପରୋକ୍ତ ୱେବ୍ସାଇଟ୍ ତଥ୍ୟାବଳୀ ଅନୁସାରେ, ରବିବାର ଦିନ ଯାତ୍ରା କରିବାକୁ ନିର୍ଦ୍ଧାରିତ ହୋଇଥିବା ୪୦୨ଟି ବିମାନ ସମେତ ବିଶ୍ବବ୍ୟାପୀ ୧,୭୭୯ଟି ବଡ଼ଦିନ ବିମାନ ଯାତ୍ରା ବାତିଲ କରାଯାଇଛି।
/sambad/media/post_attachments/wp-content/uploads/2021/12/flight1.jpg)
ହଠାତ୍ କୋଭିଡ୍-୧୯ ସଂକ୍ରମଣ ବିସ୍ତାର ବୃଦ୍ଧି ପାଇବା ଯୋଗୁଁ କର୍ମଚାରୀ ଅଭାବ ଦର୍ଶାଇ ‘ୟୁନାଟେଡ୍ ଏୟାର୍ଲାଇନ୍ସ୍’ ଏବଂ ‘ଡେଲ୍ଟା ଏୟାର୍ ଲାଇନ୍ସ୍’ ପ୍ରାୟ ୨୮୦ ବିମାନ ଉଡ଼ାଣ ବାତିଲ କରିଛି।
ସଦ୍ୟତମ ସୂଚନା ଅନୁସାରେ, ଆଜିକାଲି ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍ ଏବଂ ଫ୍ରାନ୍ସ୍ ଆଦି ଦେଶ ସମେତ ବିଶ୍ବର ବିଭିନ୍ନ ଦେଶରେ କୋଭିଡ୍-୧୯ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି। ଫଳରେ ଅନେକ ଦେଶ ମାସ୍କ୍ ବ୍ୟବହାର, ବାଧ୍ୟତାମୂଳକ ଟିକାକରଣ ଏବଂ ଗମନାଗମନ କଟକଣା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।