ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ। ହେଲେ ଟି ରାଜାଙ୍କୁ ଗିରଫ ସମୟରେ ସିଆରପିସି ଧାରା ୪୧ର ପାଳନ କରାଯାଇନଥିବା ଜାଣି କୋର୍ଟ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗିରଫର କିଛି ଘଣ୍ଟା ପରେ ଟି ରାଜାଙ୍କୁ ଜାମିନ ମିଳିବାରୁ ମୁସଲିମମାନଙ୍କୁ କଂଗ୍ରେସ ନେତା ବଡ଼ ଆହ୍ବାନ ଦେଇଛନ୍ତି। ଟି ରାଜାଙ୍କୁ ଯୋଉଠି ଦେଖିଲେ ପିଟ ବୋଲି କହିଛନ୍ତି କଂଗ୍ରେସ ନେତା ଫିରୋଜ ଖାନ୍।

Advertisment

ସେ କହିଛନ୍ତି ଯେ, “ଟି ରାଜା ସିଂ ବିଭାଜନର ରାଜନୀତି କରିବାକୁ ଚାହୁଁଛନ୍ତି। ତାଙ୍କୁ ଜେଲକୁ ପଠାଇଦିଅ। ରାଜା ସିଂ ତାଙ୍କ ବିବୃତି ପାଇଁ କ୍ଷମା ମାଗିବା ଉଚିତ୍। ପ୍ରଫେଟ ଆମର ହିରୋ ଅଟନ୍ତି। ଯଦି ସେ କ୍ଷମା ମାଗନ୍ତି ନାହିଁ, ତେବେ ମୁଁ ହାଇଦ୍ରାବାଦର ପ୍ରତ୍ୟେକ ମୁସଲମାନଙ୍କୁ କହୁଛି ଯେ, ଟି ରାଜାଙ୍କୁ ଆପଣ ଯେଉଁଠାରେ ବି ଦେଖିବେ ତାଙ୍କୁ ପିଟିବେ। ଆମେ ଆଇନକୁ ଥରେ ନୁହେଁ, ଅନେକ ଥର ନିଜ ହାତକୁ ନେଇପାରିବା।

ଉଲ୍ଲେଖଯୋଗ୍ୟ, ସୋମବାର ଦିନ ବିଜେପି ବିଧାୟକ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କୁ ସମାଲୋଚନା କରୁଥିବାର ଏକ ଭିଡିଓ ଜାରି କରିଥିଲେ। ସେଥିରେ ‌ସେ ଇସଲାମ ବିରୋଧରେ କହୁଥିବା ସହ ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ସମ୍ପ୍ରଦାୟର ଅନେକ ଲୋକ ରାଜା ସିଂଙ୍କ ଗିରଫ ଦାବିରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟକ ମୁସଲମାନ ଯୁବକ ଗତକାଲି ରାତିରେ ହାଇଦ୍ରାବାଦସ୍ଥିତ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ‘ସର ତନ ସେ ଜୁଦା’ର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଟି ରାଜାଙ୍କୁ ପୁଲିସ ଗିରଫ କରିବା ସହ ବିଜେପି ମଙ୍ଗଳବାର ତାଙ୍କୁ ଦଳରୁ ହଟାଇ ଦେଇଥିଲା। ହେଲେ ଗିରଫ ସମୟରେ ସିଆରପିସି ଧାରା ୪୧ର ପାଳନ କରାଯାଇନଥିବା ଜାଣି କୋର୍ଟ ତାଙ୍କୁ ମୁକ୍ତ କରିଥିଲେ।