ମାର୍ଚ ୧୮ରେ ସଲ୍‌ମାନ୍‌ ଖାନ୍‌ ପାଇଥିବା ହତ୍ୟାଧମକ ଇ-ମେଲ୍‌ ପଠାଇଥିଲେ ଗୋଲ୍‌ଡି ବ୍ରାର୍‌: ମୁମ୍ବାଇ ପୁଲିସ

ମୁମ୍ବାଇ: ମାର୍ଚ ୧୮ ତାରିଖ ଦିନ ଚଳଚ୍ଚିତ୍ର ଅଭିନେତା ସଲ୍‌ମାନ୍‌ ଖାନ୍‌ ପାଇଥିବା ହତ୍ୟା ଧମକ ଇ-ମେଲ୍‌ ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାର୍‌ ପଠାଇଥିଲେ ବୋଲି ଆଜି ମୁମ୍ବାଇ ପୁଲିସ କହିଛି।

ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଗୋଟାଏ ଇ-ମେଲ୍‌ ପାଇଥିଲେ। ସେଥିରେ ଜେଲ୍‌ରେ ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍‌ସ୍ ବିଷ୍ନୋଇଙ୍କ ସହିତ ନିକଟ ଅତୀତରେ ହୋଇଥିବା ସାକ୍ଷାତ୍‌କାର ପ୍ରସଙ୍ଗ ଉଲ୍ଲେଖ ଥିଲା। ସେଥିରେ ସେ କହୁଛନ୍ତି କି, ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ସଲ୍‌ମାନ୍‌ଙ୍କୁ ହତ୍ୟା କରିବା।

ଏହି ହତ୍ୟା-ଧମକ ମେଲ୍‌ଟି ମାର୍ଚ ୧୮ ତାରିଖ ଦିନ ସଲ୍‌ମାନ୍‌ଙ୍କ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜାଲ୍‌କର୍‌ଙ୍କ ନିକଟକୁ ପଠାଯାଇଥିଲା। ଏହାର ପ୍ରେରକ ରୋହିତ ଗର୍ଗ ବୋଲି ଜଣାପଡ଼ିଛି। ହତ୍ୟା-ଧମକ ଇ-ମେଲ୍‌ ପଠାଇଥିବାରୁ ସଲ୍‌ମାନ୍‌ ଖାନ୍‌ଙ୍କ ଟିମ୍‌ ଗର୍ଗ, ବ୍ରାର୍‌ ଓ ବିଷ୍ନୋଇଙ୍କ ନାଁରେ ଥାନାରେ ଅଭିଯୋଗ କରିଛି।  ବାନ୍ଦ୍ରା ଥାନା ପୁଲିସ ତା’ ପର ଦିନ ‘ଆଇପିସି’ ଧାରା ୫୦୬(୨), ୧୨୦(ବି) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଥିଲା।

ସ୍ମରଣଯୋଗ୍ୟ, ଗତବର୍ଷ ମେ ମାସରେ ଗୋଲ୍‌ଡି ବ୍ରାର୍‌ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୂସେୱାଲାଙ୍କୁ ହତ୍ୟା କରାଇଥିଲେ। ମୁମ୍ବାଇ ପୁଲିସ କହିବା ଅନୁସାରେ, ସମ୍ପ୍ରତି ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ଇଂଲଣ୍ଡ୍‌ରେ ଆତ୍ମଗୋପନ କରିଛନ୍ତି। ଏହି ମାମଲାରେ ମୁମ୍ବାଇ ପୁଲିସ ‘ଇଣ୍ଟର୍‌ପୋଲ୍‌’ର ସହାୟତ ନେଇଥିଲା। ଗୋଲ୍‌ଡି ବ୍ରାର୍‌ଙ୍କ ବିଷୟରେ ସେମାନେ ଇଂଲଣ୍ଡ୍‌ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ‘ଅନୁରୋଧ ପତ୍ର’ ମଧ୍ୟ ପଠାଇଥିଲେ।

ସମ୍ବନ୍ଧିତ ଖବର