ଆରଏସଏସ କାର୍ଯ୍ୟାଳୟକୁ ବୋମା ଲଗାଇ ଉଡାଇ ଦେବାର ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ

ଲଖନଉ: ଉତ୍ତରପ୍ରଦେଶର ଲଖନଉ ଏବଂ ଉନ୍ନାଓ ସମେତ ଆରଏସଏସର ୬ଟି କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ତାମିଲନାଡୁ ପୁଲିସ ଅଭିଯୁକ୍ତକୁ ପୁଡୁକୋଟାଇରୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ରାଜ ମହମ୍ମଦ ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ପୁଲିସ କହିଛି। ଅଭିଯୁକ୍ତକୁ ଉତ୍ତରପ୍ରଦେଶକୁ ଆଣି ଅଧିକ ପଚରାଉଚୁରା କରିବାକୁ ଉତ୍ତରପ୍ରଦେଶ ଏଟିଏସର ଦଳ ତାମିଲନାଡୁରେ ମଧ୍ୟ ପହଞ୍ଚିଛି।

ବାସ୍ତବରେ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଆଲିଗଞ୍ଜରେ ଆରଏସଏସ କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡାଇଦେବାର ଧମକ ମିଳିଥିଲା | ଉତ୍ତରପ୍ରଦେଶ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ବରିଷ୍ଠ କାର୍ଯ୍ୟକର୍ତ୍ତା ଡକ୍ଟର ନୀଳକଣ୍ଠ ମଣିଙ୍କୁ ହ୍ଵାଟ୍ସଆପରେ ଏହି ଧମକ ଦିଆଯାଇଥିଲା | ଲଖନଉ, ନବାବଗଞ୍ଜ ସମେତ କର୍ଣ୍ଣାଟକର ୪ଟି ସ୍ଥାନରେ ଥିବା କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡାଇ ଦେବାର ଧମକ ମିଳିଥିଲା |ହିନ୍ଦୀ, କନ୍ନଡ଼ ଓ ଇଂରାଜୀ ଭାଷାରେ ଲିଖିତ ବାର୍ତ୍ତାରେ ଧମକ ଦିଆଯାଇଥିଲା।

ଏହା ପରେ ଡକ୍ଟର ନୀଳକଣ୍ଠ ଥାନାରେ ଏକ ମାମଲା ଦାୟର କରିଥିଲେ। ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ପୁଲିସ ସାଇବର କ୍ରାଇମ ସେଲର ସାହାଯ୍ୟ ନେଇଥିଲା। ପରେ ଲୋକେସନ ଟ୍ରାକ କରିବାରୁ ଅଭିଯୁକ୍ତ ଜଣକ ତାମିଲନାଡୁରେ ଥିବାର ଜଣାପଡିଥିଲା | ଏହା ପରେ ସେଠାକାର ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା | ଯାହା ପରେ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର