ନୂଆଦିଲ୍ଳୀ: ରୁଷ ଆକ୍ରମଣ ଆଶଙ୍କାରେ ଆମେରିକା ବ୍ରିଟେନରେ ପୁଣିଥରେ ଆଣବିକ ଅସ୍ତ୍ର ମହଜୁଦ ରଖିବାକୁ ଯୋଜନା କରୁଛି। ଶୀତଳ ଯୁଦ୍ଧ ଅବସାନର ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ଏଭଳି ଜନବିଧ୍ବଂସୀ ଅସ୍ତ୍ରଶସ୍ତ୍ର ରଖିବ। ଲଣ୍ଡନର ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲଣ୍ଡନ ସଫଲୋକର ଆର୍‌ଏଫ୍‌ ଲେକେନ୍‌ହିଥ୍‌ ଠାରେ ଏହି ନୂତନ ଆଣବିକ ଅସ୍ତ୍ରାଗାର ସ୍ଥାପନ କରାଯିବ। ଇତିମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଏନେଇ ଚୁକ୍ତି ସ୍ବାକ୍ଷରିତ ହୋଇସାରିଛି। ଏହି ଚୁକ୍ତି ଅନୁସାରେ, ଏହି ଆଣବିକ ବୋମାଗୁଡ଼ିକର ବିସ୍ଫୋରକ ଶକ୍ତି ହିରୋସିମା ବୋମା ଠାରୁ ତିନିଗୁଣ ଶକ୍ତିଶାଳୀ ଅଟେ। ନିକଟରେ ନାଟୋର ଜ‌ନୈକ ବରିଷ୍ଠ ସେନାଧିକାରୀ ଆଡ୍‌ମିରାଲ୍‌ ରୋବ୍‌ ବାଉୟରଙ୍କ ପ୍ରତିକ୍ରିୟା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

Advertisment

ଏଥିରେ ସେ ଆଗାମୀ ୨୦ ବର୍ଷ ମଧ୍ୟରେ ରୁଷ ବିରୋଧରେ ନାଟୋର ପ୍ର‌ତ୍ୟେକ ସଦସ୍ୟ ରାଷ୍ଟ୍ର ନିଜ ନିଜ ନାଗରିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଥିଲେ। ବ୍ରିଟିଶ୍‌ସେନାର ଜେନେରାଲ୍‌ ସାର ପାଟ୍ରିକ୍‌ ସାନ୍ଦେରସ ଏହି ଚେତାବନୀର ଦୁଇ ପାଦ ଆଗକୁ ଯାଇ କହିଥିଲେ ୟୁନାଇଟେଡ୍‌ କିଙ୍ଗଡମ୍‌ର ସେନା ସଂଖ୍ୟା ଆପାତତଃ କମ୍‌ ‌ଅଟେ, ଏଣୁ ଆଗାମୀ ଦିନରେ ଦେଶର ସାଧାରଣ ନାଗରିକଙ୍କୁ ରୁଷ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ପଡ଼ିବ। ଅପରପକ୍ଷରେ ୟୁନାଇଟେଡ୍‌ କିଙ୍ଗଡମ୍‌ର ପ୍ରଧାନମନ୍ତ୍ରୀ ଋଷି ସୌନକଙ୍କ ମୁଖପାତ୍ର ଏଭଳି ଖବରର ପ୍ରତିକ୍ରିୟାରେ କହିଛନ୍ତି ଯେ ପାରମ୍ପରିକ ଭାବେ ବ୍ରିଟିଶ୍‌ ସେନା ଏକ ସ୍ବେଚ୍ଛାକୃତ ସେନା ଭାବେ ସମ୍ମାନ ପାଇଛି। ଏଥିରେ କୌଣସି ପରିବର୍ତନ କରାଯିବନାହିଁ। ସୂଚନାଯୋଗ୍ୟ, ନବେ ଦଶକରେ ରୁଷ ସହ ଶୀତଳ ଯୁଦ୍ଧର ଅବସାନ ପରେ ଆମେରିକା ୨୦୦୮ରେ ଲଣ୍ଡନରୁ ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରିଥିଲା।