ଅଦର ପୁନାୱାଲାଙ୍କୁ ଧମକ: ତାଙ୍କୁ ଓ ତାଙ୍କ ପରିବାରକୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେବାକୁ ବମ୍ବେ ହାଇକୋର୍ଟରେ ପିଟିସନ୍‌ ଦାଏର

ମୁମ୍ବାଇ: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର୍‌ ପୁନାୱାଲା ଏବଂ ତାଙ୍କ ପରିବାରକୁ ‘ଜେଡ୍‌+’ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ବୁଧବାର ଦିନ ବମ୍ବେ ହାଇକୋର୍ଟରେ ‘ରିଟ୍‌ ପିଟିସସନ୍‌’ ଦାଏର କରାଯାଇଛି।

ଉକ୍ତ ପିଟିସନ୍‌ ଫାଇଲ୍‌ କରିଥିବା ଆଡ୍‌ଭୋକେଟ୍‌ ଦତ୍ତ ଶ୍ରୀରଙ୍ଗ ମାନେ କହିଛନ୍ତି ଯେ, ଅଦର୍‌ ଏବଂ ତାଙ୍କ ପରିବାରବର୍ଗଙ୍କୁ ‘ଜେଡ୍‌+’ ସୁରକ୍ଷା ଯୋଗାଇ ଦେବା ଉଚିତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ ଧମକ ଦିଆଯାଉଥିବାରୁ ତାଙ୍କ ସମ୍ପତ୍ତିକୁ ମଧ୍ୟ ନିରାପଦ ରଖାଯିବା ଉଚିତ।

ପିଟିସନ୍‌କାରୀ ଦାଏର କରିଥିବା ଅଭିଯୋଗ ଆଧାରରେ ‘ଏଫ୍ଆଇଆର୍‌’ ଫାଇଲ୍‌ କରିବା ପାଇଁ ମହାରାଷ୍ଟ୍ର ସରକାର ଏବଂ ପୁଣେ ପୁଲିସ କମିସନର୍‌ଙ୍କୁ ଆଦେଶ ଦେବା ଲାଗି ଉକ୍ତ ପିଟିସନ୍‌ରେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।

Image Courtesy of Free Press Journal

ତାଙ୍କ ପିଟିସନ୍‌ ଆଧାରରେ କୌଣସି ଆଦେଶ ଜାରି ହେବା ପର୍ଯ୍ୟନ୍ତ ପୁନାୱାଲା ଏବଂ ତାଙ୍କ ପରିବାରବର୍ଗଙ୍କୁ ବିପୁଳ ପୁଲିସ ସୁରକ୍ଷା ଦିଆଯିବା ଉଚିତ। ଏହାଛଡ଼ା, ପୁନାୱାଲାଙ୍କ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଏବଂ ଅନ୍ୟାନ୍ୟ ସମ୍ପତ୍ତିବାଡ଼ିରେ ପୁଲିସ ମୁତୟନ କରାଯିବା ଉଚିତ ବୋଲି ଆଡ୍‌ଭୋକେଟ୍‌ ଦତ୍ତ ଶ୍ରୀରଙ୍ଗ କହିଛନ୍ତି।

ମେ ୨ ତାରିଖ ଦିନ ଲଣ୍ଡନ୍‌ର ଏକ ଖବରକାଗଜ ସହ ସାକ୍ଷାତ୍‌କାର ବେଳେ ପୁନାୱାଲା ଅଭିଯୋଗ କରିଥିଲେ କି, ତାଙ୍କ ଫାର୍ମ ଉତ୍ପାଦନ କରୁଥିବା କୋଭିଡ୍‌-୧୯ ଟିକା ତୁରନ୍ତ ‘ଡେଲିଭରି’ ଦେବାକୁ ରାଜନେତା ଓ କ୍ଷମତାଶାଳୀ ଲୋକେ ଧମକ ଦେଉଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଭାରତର ଗୃହ ବ୍ୟାପାର ମନ୍ତ୍ରାଳୟ ପୁନାୱାଲାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି। ସୁରକ୍ଷା ନିମନ୍ତେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ନିର୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏପ୍ରିଲ୍‌ ୬ ତାରିଖ ଦିନ ଅନୁରୋଧ କରିଥିଲେ। ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ‘ସିଆର୍‌ପିଏଫ୍‌’କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର