ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଖନୁର ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୍୪ ରାଇଫଲ ମିଳିବା ପରେ ସୁରକ୍ଷା ବାହିନୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ପ୍ରତ୍ୟାହାର ସମୟରେ ଆମେରିକୀୟ ସେନା ଛାଡ଼ି ଯାଇଥିବା ଏହି ମାରାତ୍ମକ ରାଇଫଲ୍ କିପରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚିଲା, ତାହା ସେନା ଆକଳନ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଯୋଗାଉଛି। ଏହି ରାଇଫଲରେ ଷ୍ଟିଲ୍ ବୁଲେଟ ରହିଛି ଯାହା ଯଥେଷ୍ଟ ଶକ୍ତିଶାଳୀ। ଏହା ବୁଲେଟ୍ପ୍ରୁଫ୍ ଯାନ ଓ ସୁରକ୍ଷିତ ଭିତ୍ତିଭୂମିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।
ସୂତ୍ରରୁ ପ୍ରକାଶ ଯେ, ସୀମା ଅତିକ୍ରମ କରୁଥିବା ଆତଙ୍କବାଦୀଙ୍କ ପାଖରେ ଏବେ ଏକେ-୪୭ ରାଇଫଲ୍ ଓ ଏମ୍-୪ କାର୍ବାଇନ୍ ରହିଛି। ଏଥିରେ ସୁରକ୍ଷା ବାହିନୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ୨୦୧୭ ମସିହାରେ ଜମ୍ମୁ-କଶ୍ମୀରରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ତାଲହା ରସିଦ ମାସୁଦକୁ ସୁରକ୍ଷାବାହିନୀ ପୁଲୱାମାରେ ନିପାତ କରିବା ପରେ ପ୍ରଥମ ଥର ପାଇଁ ଏମ୍-୪ ରାଇଫଲ ଦେଖିବାକୁ ମିଳିଥିଲା। ଏହାପରେ କଠୁଆ, ରିଆସୀ, ପୁଞ୍ଚ ଓ ରାଜୌରୀରେ ହୋଇଥିବା ଆକ୍ରମଣ ସମେତ ଅନେକ ଆତଙ୍କୀ ଘଟଣାରେ ଏମ୍-୪ ରାଇଫଲ୍ ବ୍ୟବହାର କରାଯାଇଛି। ନିକଟରେ ହୋଇଥିବା ଏକ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଜମ୍ମୁ-କଶ୍ମୀର ସୀମା ନିକଟରେ ଥିବା ଲଞ୍ଚପ୍ୟାଡ୍ରେ ବହୁ ସଂଖ୍ୟକ ଆତଙ୍କବାଦୀ ଏକାଠି ହୋଇଛନ୍ତି ଏବଂ ତୁଷାରପାତ ପୂର୍ବରୁ ଯଥାସମ୍ଭବ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା, ଯେଉଁଥିରେ ଆଇଏସ୍ଆଇ ଅଧିକାରୀ ଓ ଆତଙ୍କବାଦୀ ସଂଗଠନର ଶୀର୍ଷ କମାଣ୍ଡରମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆତଙ୍କବାଦୀଙ୍କୁ ଆମେରିକା ନିର୍ମିତ ଏମ୍୪ କାର୍ବାଇନ୍ ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ସେହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କଶ୍ମୀର ଉପତ୍ୟକାରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ) ଦ୍ୱାରା ଲଜିଷ୍ଟିକ୍ ଓ ସହାୟତା ଯୋଗାଇ ଦିଆଯିବ।
ଏମ୍୪ କାର୍ବାଇନ୍ ଏକ ହାଲୁକା, ଗ୍ୟାସ୍ ଚାଳିତ, ଏୟାରକୁଲ୍ଡ, ମାଗାଜିନ୍ ଫିଡ୍ ଆସଲ୍ଟ ରାଇଫଲ୍। ପ୍ରତି ମିନିଟରେ ୭୦୦-୯୦୦ ରାଉଣ୍ଡ ଗୁଳି ଚଳାଇବାରେ ସକ୍ଷମ ଏମ୍୪ର ପ୍ରଭାବଶାଳୀ ଫାୟାରିଂ ରେଞ୍ଜ ୫୦୦-୬୦୦ ମିଟର ଏବଂ ସର୍ବାଧିକ ୩୬୦୦ ମିଟର ରହିଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଏହି ଆସଲ୍ଟ ରାଇଫଲ ବ୍ୟବହାର କରିବା ଚିନ୍ତାର ବିଷୟ। ଏହା ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରର ସମ୍ଭାବ୍ୟ ପରିଣାମ ହୋଇପାରେ। ଆଫଗାନିସ୍ତାନରେ ଆମେରିକା ସେନା ୩,୦୦,୦୦୦ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ହଜାର ହଜାର ଏମ୍୪ ରାଇଫଲ ଏବଂ ୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମରିକ ଉପକରଣ ଛାଡ଼ିଯାଇଥିଲା। ଏହି ଅସ୍ତ୍ରଶସ୍ତ୍ର ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଜମ୍ମୁ-କଶ୍ମୀରରେ
ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିଛି।