ଭାରତରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ପାକିସ୍ତାନ ପ୍ରତି ବିପଦ ବଢିଯାଇଛି : ଇମ୍ରାନ ଖାଁ

ଇସଲାମାବାଦ : ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇବା ପାକିସ୍ତାନର ଅଭ୍ୟାସ ହୋଇଗଲାଣି । ଭାରତରେ ଚାଲିଥିବା ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନ ଯୋଗୁଁ ପାକିସ୍ତାନ ପ୍ରତି ବିପଦ ବଢିଯାଇଛି ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ ଏହି ଆନ୍ଦୋଳନରୁ ଲୋକଙ୍କ ଧ୍ୟାନ ହଟାଇବାକୁ ମୋଦୀ ପାକିସ୍ତାନ ଉପରେ କୌଣସି ବଡ଼ ଧରଣର ଅପରେସନ କରିପାରନ୍ତି ।

 

ଟ୍ଵିଟ୍‌ କରି ସେ କହିଛନ୍ତି ଯେ ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ କିଛିଦିନତଳେ ଦେଇଥିବା ମନ୍ତବ୍ୟରୁ ଏହି ଆଶଙ୍କା ବଢିଯାଇଛି । ସେନାଧ୍ୟକ୍ଷ କହିଥିଲେ ଯେ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, ଯେକୌଣସି ସମୟରେ ସ୍ଥିତି ଖରାପ ହୋଇପାରେ ।
ସେ କହିଛନ୍ତି, ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନରୁ ଧ୍ୟାନହଟାଇବାକୁ ଓ ହିନ୍ଦୁ ଜାତୀୟତାବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ଯଦି ମୋଦୀ ପାକିସ୍ତାନ ଉପରେ ଆକ୍ରମଣ କରନ୍ତି, ତେବେ ଏକ ଦୃଢ ଜବାବ ଦେବା ଛଡ଼ା ପାକିସ୍ତାନ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ।
ଦୁଇଦିନ ତଳେ ପାକିସ୍ତାନ ସେନାର ଜନସଂପର୍କ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଭାରତ ନିୟନ୍ତ୍ରଣ ରେଖା ନିକଟରେ ଥିବା ତାରବାଡ଼ ଗୁଡ଼ିକୁ ହଟାଇବା ଆରମ୍ଭ କରିଛି । ସେଠାରେ ଟ୍ୟାଙ୍କ, ଆର୍ମରଡ ଭେହିକ୍ଲ, ବ୍ରହ୍ମସ୍‌ ମିସାଇଲ, ଆଣ୍ଟି-ଟ୍ୟାଙ୍କ ସ୍ପାଇକ ମିସାଇଲ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହା ଦ୍ୱାରା ଭାରତ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ବୋଲି ପାକିସ୍ତାନ ପକ୍ଷରୁ ଜାତିସଂଘରେ ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର