ନୂଆଦିଲ୍ଲୀ: ମଣିପୁର ଗସ୍ତରୁ ଫେରିବା ପରେ ଇ.ଣ୍ଡି.ଆ ମେଣ୍ଟ ନେତାମାନେ ଆଜି କେନ୍ଦ୍ର ସରକାରକୁ କଡ଼ା ଚେତାବନୀ ଦେଇଛନ୍ତି। ମଣିପୁର ଜାତିଆଣ ସଂଘର୍ଷର ଶୀଘ୍ର ପରିସମାପ୍ତି ନହେଲେ ଏହା ପୂରା ଦେଶ ପାଇଁ ବିପଦ ପାଲଟିବ ବୋଲି ସେମାନେ କହିଛନ୍ତି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ମଣିପୁରରେ ଯେଉଁ ବିସ୍ଫୋରକ ସ୍ଥିତି ଲାଗି ରହିଛି ସେ ସଂପର୍କରେ ସରକାର କିଛି ଜାଣନ୍ତି ନାହିଁ। ଆମେ ବାସ୍ତବ ସ୍ଥିତି ଦେଖିଛୁ ଏବଂ ତାହା ଅତ୍ୟନ୍ତ ଭୟାନକ ବୋଲି ସେ କହିଛନ୍ତି। ଏ ବାବଦରେ ସଂସଦରେ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଅଧୀର କହିଛନ୍ତି।

Advertisment

କୁକି ସଂପ୍ରଦାୟ ରହୁଥିବା ଅଂଚଳକୁ ଏବେ ମୈତେୟୀ ସଂପ୍ରଦାୟର ଲୋକେ ଯିବା ଅସମ୍ଭବ ହୋଇପଡ଼ିଛି ଏବଂ ଏଭଳି ବାତାବରଣ ଭିତରେ ଆଗକୁ ହିଂସା ଆହୁରି ବଢ଼ିବା ସମ୍ଭବନା ରହିଛି ବୋଲି ସେ କହିଛନ୍ତି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ ଏବଂ ଦିନକୁ ଦିନ ଦୁର୍ଦ୍ଦଶା ବଢ଼ୁଥିଲେ ମଧ୍ୟ ରାଜ୍ୟ ସରକାର ଉଦାସୀନ ରହିବା ଦୁର୍ଭାଗ୍ୟଜନକ ବୋଲି ଅଧୀର କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ବିରୋଧୀ ମେଣ୍ଟର ଦାବିକୁ ଖଣ୍ଡନ କରିଛନ୍ତି। ସ୍ଥିତି ସୁଧାରିବା ପାଇଁ ଅହରହ ପ୍ରୟାସ ଜାରି ରହିଛି ଏବଂ ହିଂସା ଥମିଛି। ଏଭଳି ସ୍ଥିତିରେ ଉତ୍ତେଜକ ବୟାନ ଦେବାରୁ ନେତାମାନେ ବିରତ ରହିବା ଉଚିତ ବୋଲି କୁହାଯାଇଛି।