ଝାଡ଼ଖଣ୍ଡରେ ହେମନ୍ତ ସରକାର ପାଇଁ ବିପଦ: ୟୁପିଏ ବୈଠକରେ ଜେଏମ୍‌ଏମ୍‌-କଂଗ୍ରେସର ୧୧ ବିଧାୟକ ଅନୁପସ୍ଥିତ

ରାଞ୍ଚି: ଝାଡ଼ଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଦେଖାଦେଇଛି। ୟୁପିଏ ଶକ୍ତି ପ୍ରଦର୍ଶନ ପାଇଁ ଶନିବାରର ଦିନ ବିଧାୟକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସର ମୋଟ ୧୧ ବିଧାୟକ ଯୋଗ ଦେଇନାହାନ୍ତି। ଦଳର ନିର୍ଦ୍ଦେଶକୁ ଅଣଦେଖା କରି ସେମାନେ ବୈଠକରେ ସାମିଲ ହୋଇନଥିବାରୁ ଆଗକୁ ହେମନ୍ତ ସୋରେନ ସରକାର ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ୟୁପିଏ ବୈଠକରେ କେବଳ ୩୭ ବିଧାୟକ ହିଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବିଧାୟକମାନଙ୍କ ଏଭଳି ଆଭିମୁଖ୍ୟ ସରକାରର ନିଦ ହଜାଇ ଦେଇଛି। ଅଧିକାଂଶ ବିଧାୟକ ସେମାନେ ଅନୁପସ୍ଥିତି ରହିବା ପଛର କାରଣ ସ୍ପଷ୍ଟ କରିନଥିବା ବେଳେ ଆଉ କେତେକ ବିଧାୟକଙ୍କ ସଫେଇ ସନ୍ଦେହଜନକ ବୋଲି କୁହାଯାଉଛି। ୟୁପିଏ ବୈଠକରେ ଅଧ୍ୟକ୍ଷତା କରିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କ ଏଭଳି ଆଚରଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ରାଜ୍ୟର ମରୁଡ଼ି ସ୍ଥିତି ସହିତ ଶାସକ ଦଳର ବିଧାୟକମାନଙ୍କ ବିଭିନ୍ନ ଦାବି ସଂପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର