ନୂଆଦିଲ୍ଲୀ: କାନାଡ଼ା ଛାଡ଼ିବା ପାଇଁ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ କହିବା ପରେ କାନାଡ଼ାର ସାଂସଦମାନେ ତାଙ୍କର ଏଭଳି ବିବୃତି ଏବଂ ହିନ୍ଦୁ ସଂପ୍ରଦାୟ ବିରୋଧରେ କୌଣସି ପ୍ରକାର ଘୃଣାକୁ ନିନ୍ଦା କରିଛନ୍ତି। ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ସଂପର୍କ ବିଗିଡ଼ିବା ପରେ ଖଲିସ୍ତାନୀ ସମର୍ଥନ ଗୋଷ୍ଠୀ ଶିଖ୍ସ ଫର୍ ଜଷ୍ଟିସ୍ (ଏସଏଫଜେ)ର ମୁଖ୍ୟ ପନ୍ନୁନ୍ ସେଠାରେ ବସବାସ କରୁଥିବା ଭାରତୀୟ-କାନାଡ଼ୀୟ ହିନ୍ଦୁଙ୍କୁ କାନାଡ଼ା ଛାଡ଼ି ଭାରତ ପଳାଇବା ପାଇଁ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି। ଉକ୍ତ ଭିଡିଓ ବାର୍ତ୍ତା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ କାନାଡ଼ାର ଜନ ସୁରକ୍ଷା ମନ୍ତ୍ରୀ ଡୋମିନିକ ଲିବ୍ଲାଙ୍କ କହିଛନ୍ତି ଆକ୍ରମଣ, ଘୃଣା, ଧମକ ଏବଂ ଭୟକୁ ଉସକେଇବାର କୌଣସି ସ୍ଥାନ ତାଙ୍କ ଦେଶରେ ନାହିଁ।
ସମସ୍ତ କାନାଡ଼ୀୟ ସୁରକ୍ଷିତ ଅନୁଭବ କରିବା ଆବଶ୍ୟକ। ହିନ୍ଦୁ କାନାଡ଼ୀୟଙ୍କୁ ଟାର୍ଗେଟ କରି ଅନଲାଇନ୍ରେ ବୁଲୁଥିବା ହିଂସା ଭିଡ଼ିଓ ଆମର ଜାତୀୟ ମୂଲ୍ୟବୋଧର ବିପରୀତ। ଆକ୍ରମଣ, ଘୃଣା, ଧମକ କିମ୍ବା ଭୟକୁ ଉସକାଇବାର କୌଣସି ସ୍ଥାନ ନାହିଁ ବୋଲି ଲିବ୍ଲାଙ୍କ କହିଛନ୍ତି। ସେହିଭଳି ସୁରେ ସେଣ୍ଟରର ସାଂସଦ ରଣଦୀପ ସରାଇ କହିଛନ୍ତି ହିନ୍ଦୁଙ୍କ ବିରୋଧରେ ଏଭଳି ବୃବୃତ୍ତିକୁ ନିନ୍ଦା କରୁଛି ଏବଂ ହିନ୍ଦୁ କାନାଡ଼ୀୟଙ୍କ ବିରୋଧରେ ହେଉଥିବା ହିଂସାକୁ ନିନ୍ଦା କରୁଛି। ଏଭଳି ଭାଷଣର କୌଣସି ସ୍ଥାନ କାନାଡ଼ାରେ ନାହିଁ ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି।