ନ୍ୟାୟ ବ୍ୟବସ୍ଥାକୁ ଧମକ ବନ୍ଦ ହେବା ଆବଶ୍ୟକ, ପ୍ରଧାନ ବିଚାରପତିଙ୍କୁ ୭୭୨ ଜଣ ଆଇନଜୀବୀ ଚିଠି ଲେଖିଲେ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଟ୍ବିଟ୍ ମାମଲାରେ ସୁପ୍ରିମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କ ବିରୋଧରେ ଦଣ୍ଡଘୋଷଣା ହେବ। ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ପରେ ସୁପ୍ରିମ କୋର୍ଟର ଅନେକ ପୂର୍ବତନ ବିଚାରପତି ଓ ବରିଷ୍ଠ ଆଇନଜୀବୀ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ‌ସେମାନେ ସୁପ୍ରିମ କୋର୍ଟଙ୍କ ଏଭଳି ରାୟ ଉପରେ ପ୍ରଶ୍ନ ଉଠାଇବା ପରେ ଆଜି ନ୍ୟାୟ ବ୍ୟବସ୍ଥା ସପକ୍ଷରେ ଶତାଧିକ ଆଇନଜୀବୀ ବାହାରିଛନ୍ତି। ୭୫୦ରୁ ଅଧିକ ଆଇନଜୀବୀ ଏହି ମର୍ମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି। ନ୍ୟାୟିକ ବ୍ୟବସ୍ଥାକୁ ଧମକ ଦେବା ଓ ଡରାଯାଉଛି ବୋଲି ସେମାନେ ଏହି ଚିଠିରେ ଉଲ୍ଲେଖ କରିବା ସହିତ ଚିନ୍ତାବ୍ୟକ୍ତ କରିଛନ୍ତି।

ଚିଠିରେ ସେମାନେ ଯଦିଓ ପ୍ରଶାନ୍ତ ଭୂଷଣଙ୍କ ନାମ ନେଇନାହାନ୍ତି ତଥାପି ନିକଟରେ ନ୍ୟାୟବ୍ୟବସ୍ଥାରେ ଯେଉଁ ଧାରା ଦେଖାଦେଇଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବିଚାରପତିମାନେ ଯେଉଁ ବିଭ୍ରାଟକାରୀ(ଇନଷ୍ଟିଚ୍ୟୁସନାଲ ଡିସରପ୍ଟର)ଙ୍କ କଥାରେ ରାଜି ହେଉନାହାନ୍ତି ସେମାନେ ନ୍ୟାୟବ୍ୟବସ୍ଥାକୁ ଏକାଧିକ ଧର ଆକ୍ରମଣ କରିଥିବା ଘଟଣା ଭାରତରେ ଦେଖିବାକୁ ମିଳିଛି ବୋଲି ଆଇନଜୀବୀମାନେ ଚିଠିରେ କହିଛନ୍ତି। ଏମାନେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ଆଇନଜୀବୀମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ଅଦାଲତଙ୍କ ନିଷ୍ପତ୍ତି ଦ୍ବାରା ସାଧିତ ହୋଇପାରୁନାହିଁ ସେମାନେ ନ୍ୟାୟିକ ବ୍ୟବସ୍ଥା ବିରୋଧରେ କୁତ୍ସା ରଟନାମୂଳକ ମନ୍ତବ୍ୟ ଦେଉଛନ୍ତି। ସୁପ୍ରିମ କୋର୍ଟ ଗଣତନ୍ତ୍ରକୁ ନଷ୍ଟ କରିଦେଇଛନ୍ତି। ସୁପ୍ରିମ କୋର୍ଟ ସମ୍ବିଧାନକୁ ହତ୍ୟା କରୁଛନ୍ତି ବୋଲି ମନ୍ତବ୍ୟ ଏହି ବିଭ୍ରାଟକାରୀମାନେ ଦେଉଛନ୍ତି। ଏହାଦ୍ବାରା ବିଚାର ବିଭାଗ ଉପରେ ଲୋକମାନଙ୍କର ରହିଥିବା ଭରସାକୁ ସେମାନେ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ୭୭୨ ଜଣ ଆଇନଜୀବୀଙ୍କ ଦସ୍ତ‌କ୍ଷତ ଥିବା ଚିଠିରେ କୁହାଯାଉଛି। ଯଦି ନ୍ୟାୟବିଭାଗକୁ ଏହାର ଦାୟିତ୍ବ ସଫଳତାର ସହ ସମ୍ପାଦନ କରିବାକୁ ହେଲେ ତାହାର ମର୍ଯ୍ୟାଦା ଓ କର୍ତ୍ତୃତ୍ବ ସୁରକ୍ଷିତ ରହିବା ଆବଶ୍ୟକ। ଲୋକଙ୍କ ବିଶ୍ବାସ ହେଉଛି ନ୍ୟାୟିକବ୍ୟବସ୍ଥାର ମୁଳଦୂଆ। ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ଏଭଳି ଧାରା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିବ ଏବଂ ନ୍ୟାୟିକବ୍ୟବସ୍ଥାକୁ ଶକ୍ତ ଆଘାତ ପହଞ୍ଚାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର