କଶ୍ମୀର: ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି। ପାକିସ୍ତାନ ତରଫରୁ ବୁଧବାର ରାତିରେ ହୋଇଥିବା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନା ଗୁରୁବାର ଏହି ଘଟଣାର କଡ଼ା ଜବାବ ଦେଇଛି। ବିଏସ୍ଏଫ୍ର ଯବାନମାନେ ପାକିସ୍ତାନର ୩ ରେଞ୍ଜର୍ସଙ୍କ ସମେତ ୮ଜଣଙ୍କୁ ନିହତ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଗୁଳିବର୍ଷାରେ ଭାରତୀୟ କନଷ୍ଟେବଲ ସହିଦ ହୋଇଥିବା ବେଳେ ଏକ ଛୋଟ ଶିଶୁର ମୃତ୍ୟୁ ହୋଇଛି।
ପାକିସ୍ତାନ ଦ୍ୱାରା ହୋଇଥିବା ଗୁଳିବର୍ଷାର ଜବାବ ଦେଉଛି ଭାରତୀୟ ସେନା। ସେନା ପକ୍ଷରୁ ସୀମାରେ ପାକିସ୍ତାନର ୪ଟି ପୋଷ୍ଟକୁ ଧ୍ୱସ୍ତ କରି ଦିଆଯାଇଛି। ବିଏସ୍ଏଫ୍ ତରଫରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ସୀମାରେ ଆମ୍ବୁଲାନ୍ସରେ ଶବ ଗୁଡ଼ିକ ବୋହି ନିଆଯାଉଥିବା ଦେଖାଯାଇଛି। ରାମଗଡ଼ ଅଞ୍ଚଳରେ ଫାୟାରିଂଗ ଜାରି ରହିଛି।
ଫାୟାରିଂଗ ନେଇ ବିଏସ୍ଏଫ୍ ଡିଜି କେକେ ଶର୍ମା କହିଛନ୍ତି, ସୀମାରେ ପରିସ୍ଥିତି ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା। ଏହି ଘଟଣାର ପ୍ରତିଶୋଧ ନେବାକୁ ଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବହୁତ କ୍ଷତି ହୋଇଛି। ସେ କହିଛନ୍ତି ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥା ଠିକ୍ ନାହିଁ। ଆମେ ଆମର ସହିଦ ଯବାନର ପ୍ରତିଶୋଧ ନେବୁ।
Photograph of of BSF Head Constable A Suresh of 78 Bn who lost his life in ceasefire violation by Pakistan in Jammu & Kashmir's R S Pura last night. pic.twitter.com/ULab4yQLsA
— ANI (@ANI) January 18, 2018
ସୂଚନାଯୋଗ୍ୟ, ପାକିସ୍ତାନ ବୁଧବାର ବିଳମ୍ବିତ ରାତିରେ ଗୁଳିବର୍ଷା କରିଥିଲା। ଏହା ପରେ ମଧ୍ୟ ମଝିରେ ମଝିରେ ଗୁଳି କରିଥିଲା। କିନ୍ତୁ ନିୟମିତ ଭାବରେ ଗୁଳି କରିବା ଯୋଗୁଁ ଶେଷରେ ବିଏସ୍ଏଫ୍ ମଧ୍ୟ କଡ଼ା ଜବାବ ଦେଇଛି। ଫାଇରିଂ ଯୋଗୁଁ ଆଖପାଖ ଗାଁରେ ଘର ଭିତରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଅରନିଆ ତହସିଲର ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି।
୩ଦିନ ତଳେ ନିହତ ହୋଇଥିଲେ ୫ ଆତଙ୍କୀ
ଭାରତୀୟ ସେନା ଗତ ଜାନୁଆରୀ ୧୫ରେ ଉରି ସେକ୍ଟରରେ ୫ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲା। ପରେ ପୁଣି ନିୟନ୍ତ୍ରଣ ରେଖା ନିକଟରେ କୋଟଲିରେ ୭ଜଣ ପାକିସ୍ତାନୀ ସେନାକୁ ନିହତ କରିଥିଲା। ଏହି ଅଭିଯାନ ଉଭୟ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସର ମିଳିତ ଉଦ୍ୟମରେ ହୋଇଥିଲା।