ନୂଆଦିଲ୍ଲୀ : ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଲୋକସଭାରେ ତିନିଗୋଟି ପୃଥକ୍ ବିଲ୍ ଉପସ୍ଥାପନ କରାଯାଇଛି । ଏହି ବିଲ୍ ତିନୋଟି ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶର ସ୍ଥାନ ଗ୍ରହଣ କରିବ । ଏହି ତିନୋଟି ବିଲ୍ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଏହି ବିଲକୁ ଉପସ୍ଥାପିତ କରିଥିଲେ।
ଓଡ଼ିଶାର ୫ ଜଣ ଦିବଂଗତ ପୂର୍ବତନ ସାଂସଦଙ୍କୁ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ରଣବ ମୁଖାର୍ଜୀଙ୍କ ସମେତ ୧୯ ଜଣ ଦିବଂଗତ ରାଜ୍ୟସଭା ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଦିବଂଗତ ସାଂସଦଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଓଡ଼ିଶାର। ସେମାନେ ହେଲେ, ସନାତନ ବିଶି, ବସନ୍ତ କୁମାର ଦାସ, ଭବାନୀ ଚରଣ ପଟ୍ଟନାୟକ, ବିଷ୍ଣୁଚରଣ ଦାସ ଓ ନରେନ୍ଦ୍ର କୁମାର ସ୍ବାଇଁ। ସମସ୍ତ ଦିବଂଗତ ପୂର୍ବତନ ସାଂସଦମାନଙ୍କର ଅମର ଆତ୍ମାର ସଦ୍ଗତି କାମନା ସହ ଗୃହରେ ଉପସ୍ଥିତ ସାଂସଦମାନେ ନିରବ ପ୍ରାର୍ଥନ କରିଥିଲେ।
ମୋବାଇଲ୍ ଟାୱାର ସମସ୍ୟା ପ୍ରସଙ୍ଗ ଉଠାଇଲେ ସାଂସଦ ବସନ୍ତ ପଣ୍ଡା
ନୂଆଦିଲ୍ଲୀ : ଆଜି ଲୋକସଭାର ଶୂନ୍ୟକାଳରେ ବିଜେଡି ସାଂସଦ ବସନ୍ତ ପଣ୍ଡା ତାଙ୍କର ସଂସଦୀୟ କ୍ଷେତ୍ରରେ ମୋବାଇଲ୍ ଟାୱାର ସମସ୍ୟାଜନିତ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନା କରିଥିଲେ। ଶ୍ରୀ ପଣ୍ଡାଙ୍କ ସଂସଦୀୟ କ୍ଷେତ୍ରରେ ଦୁଇଟି ଆକାଂକ୍ଷୀ ଜିଲ୍ଲା- କଳାହାଣ୍ଡି ଓ ନୂଆପଡ଼ା ସାମିଲ୍ ଅଛି। କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଥୁଆମୁଲ ରାମପୁର ତଥା ରାମପୁର ବ୍ଲକ୍ ଓ ରାଞ୍ଜିଗଡ଼ ବ୍ଲକ୍ ଏବଂ ନୂଆପଡ଼ା ଜିଲ୍ଲାରେ ମାରଗୁଡ଼ା, ସୁନାବେଡ଼ା, ସୁସିଂହ, ଘାଟମାଲ ଓ ନନ୍ଦନପୁର ଅଞ୍ଚଳରେ ବିଏସ୍ଏନଏଲ୍ ମୋବାଇଲ୍ ଟାୱାରର ଅବ୍ୟବସ୍ଥା ପାଇଁ ଲୋକମାନଙ୍କ ସହିତ ଯୋଗାଯୋଗ କରିବାରେ ଅସୁବିଧା ହେଉଥିବା ସମ୍ପର୍କରେ ସାଂସଦ ଶ୍ରୀ ପଣ୍ଡା ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ, ବିଭାଗୀୟ ମନ୍ତ୍ରୀ ଖୁବ୍ଶୀଘ୍ର ମନ୍ତ୍ରାଳୟ କର୍ମଚାରୀଙ୍କୁ ସେଠାକୁ ପଠାଇ ସ୍ଥାନ ଚିହ୍ନଟ କରି ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/parliament_monsoon-session_2020_lok_sabha-1.jpg)