୩ ଏମ୍‌ସ ଡାକ୍ତର ମୃତ ଯମୁନା ଏକ୍ସପ୍ରେସ୍‌େଓ୍ଵରେ ଦୁର୍ଘଟଣା

ମଥୁରା: ଶନିବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ୍‌ େଓ୍ଵରେ କ୍ୟାଣ୍ଟର ପଛରେ ପିଟିହୋଇ ଏକ ଟୟୋଟା ଇନୋଭା କାର୍‌ ପଶିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଦିଲ୍ଲୀ ଏମ୍‌ସର ଡା. ଯଶପ୍ରୀତ ସିଂହ(୨୫), ଡା. ହେମବାଳା(୨୪) ଏବଂ ଡା. ହର୍ଷଦ ଓ୍ଵାଙ୍କାଡ଼େ(୩୪) ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ ଏମ୍‌ସ ଭେଷଜ ବିଭାଗର ସାତ ଜଣ ଡାକ୍ତର ଏକ ଇନୋଭା କାର୍‌ରେ ଦିଲ୍ଲୀରୁ ଆଗ୍ରା ଅଭିମୁଖେ ବାହାରିଥିଲେ। ସେମାନେ ବରିଷ୍ଠ ସହଯୋଗୀ ଡା. ହର୍ଷଦ ଓ୍ଵାଙ୍କାଡ଼େଙ୍କ ଜନ୍ମଦିନ ପାଳିବାକୁ ଆଗ୍ରା ଯାଉଥିବା ବେଳେ ନିଜେ ଡା. ହର୍ଷଦ ହିଁ ଗାଡ଼ି ଚଳାଉଥିଲେ। ଗାଡ଼ିଟି ଯମୁନା ଏକ୍ସପ୍ରେସ୍‌ େଓ୍ଵରେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼ ୨ଟା ବେଳେ ମଥୁରା ଜିଲ୍ଲାର ସୁରିପ୍‌ ଥାନା ଅଧୀନ କଟି ଗାଁ ନିକଟ ୮୮ ନମ୍ବର ମାଇଲ୍‌ ଖୁଣ୍ଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଗରେ ଯାଉଥିବା ଏକ କ୍ୟାଣ୍ଟର ହଠାତ୍‌ ବ୍ରେକ୍‌ କଷିଦେବାରୁ ଇନୋଭାଟି କ୍ୟାଣ୍ଟର ପଛରେ ଖୁବ୍‌ ଜୋର୍‌ରେ ପିଟି ହୋଇଯିବା ସହ କ୍ୟାଣ୍ଟର ତଳେ ଭିତରକୁ କିଛିବାଟ ପଶିଯାଇଥିଲା। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଚୂର୍‌ମାର୍‌ ହୋଇଯିବା ସହ ଘଟଣାସ୍ଥଳରେ ହିଁ ଚାଳକ ଡା. ଓ୍ଵାଙ୍କାଡ଼େଙ୍କ ସମେତ ଡା. ଯଶପ୍ରୀତ ଓ ଡା. ହେମବାଳା ଆଖି ବୁଜିଥିଲେ। ଦୁର୍ଘଟଣା ପରେ କ୍ୟାଣ୍ଟର ଚାଳକ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିବା ବେଳେ ଫୋନ୍‌ ଯୋଗେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ଗୁରୁତର ଆହତ ହୋଇଥିବା ଡା. ଜିତେନ୍ଦ୍ର, ଡା. ମହେଶ, ଡା. ଅଭିନବ ଏବଂ ଡା. କାଥେରିନ୍‌ଙ୍କୁ ପୁଲିସ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।

ସମ୍ବନ୍ଧିତ ଖବର