ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିଦ୍ବାରା ୩ଜଣ ବରିଷ୍ଠ ‘ଆଇପିଏସ୍’ ଅଧିକାରୀଙ୍କୁ ‘ସିବିଆଇ’ର ନିର୍ଦେଶକ ପଦ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିବା କଥା ଆଜି ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି।
ଶନିବାର ସନ୍ଧ୍ୟା ବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ଏହି ଉଚ୍ଚସ୍ତରୀୟ କମିଟି କ୍ୟାବିନେଟ୍ର ନିଯୁକ୍ତି କମିଟିକୁ ୩ଜଣଙ୍କ ନାଁ ପଠାଇଛି। ଉପରୋକ୍ତ ପଦବୀ ନିମନ୍ତେ କ୍ୟାବିନେଟ୍ର ନିଯୁକ୍ତି କମିଟି ଜଣଙ୍କୁ ମନୋନୀତ କରିବ ବୋଲି କଂଗ୍ରେସ ସାଂସଦ ଅଧୀରରଞ୍ଜନ ଚୌଧୁରୀ ‘ପିଟିଆଇ’କୁ କହିଛନ୍ତି।
ବୈଠକ ସମୟରେ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ‘ଆଇପିଏସ୍’ ଅଧିକାରୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ସେଥିରୁ କର୍ଣ୍ଣାଟକର ‘ଡିଜିପି’ ପ୍ରବୀଣ ସୂଦ୍, ମଧ୍ୟପ୍ରଦେଶ ‘ଡିଜିପି’ ସୁଧୀର କୁମାର ସାକ୍ସେନା ଓ ଫାୟାର୍ ସର୍ଭିସ୍, ସିଭିଲ୍ ଡିଫେନ୍ସ୍ ଏବଂ ହୋମ୍ ଗାର୍ଡର ‘ଡିଜି’ ତାଜ୍ ହସନ୍ଙ୍କ ନାଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇ କ୍ୟାବିନେଟ୍ର ନିଯୁକ୍ତି କମିଟିକୁ ପଠାଇ ଦିଆଯାଇଛି।
ସମ୍ପ୍ରତି ‘ସିବିଆଇ’ର ନିର୍ଦେଶକ ଥିବା ସୁବୋଧ କୁମାର ଜୟସୱାଲ୍ଙ୍କ ପାଇଁ ନିର୍ଦ୍ଧାରିତ କାର୍ଯ୍ୟକାଳ ଥିଲା ୨ ବର୍ଷ ଏବଂ ତାହା ଆଗାମୀ ମେ ୨୫ ତାରିଖରେ ଶେଷ ହୋଇଯିବ।
ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ୧୯୮୬ ବ୍ୟାଚ୍ କର୍ଣ୍ଣାଟକ ରାଜ୍ୟ କ୍ୟାଡର୍ର ‘ଆଇପିଏସ୍’ ଅଫିସର୍ ତଥା କର୍ଣ୍ଣାଟକ ‘ଡିଜିପି’ ପ୍ରବୀଣ ସୂଦ ଏହି ପଦବୀ ନିମନ୍ତେ ତାଲିକାର ସର୍ବାଗ୍ରେ ରହିଛନ୍ତି।