ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ପଥର ଫିଙ୍ଗାଳି ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ପଥର ଫିଙ୍ଗୁଥିବା ପଥର ଫିଙ୍ଗାଳିଙ୍କ ଉପରକୁ ସୁରକ୍ଷା କର୍ମୀମାନେ ଗୁଳି ଚଳାଇଛନ୍ତି। ଏହି ଗୁଳମାଡ଼ରେ ୩ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ଜଣେ ୧୬ ବର୍ଷର ଝିଅ ରହିଥିବା ସୂଚନା ମିଳିଛି। ଏହି ଘଟଣା ପରେ କୁଲଗାମ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ ଓ୍ଵାନୀର ମୃତ୍ୟୁର ଦ୍ୱିତୀୟ ବାର୍ଷିକୀ ଅବସରରେ ଯେ କୌଣସି ଅଘଟଣକୁ ଏଡାଇବା ପାଇଁ ସୁରକ୍ଷା କର୍ମୀମାନେ ଅଞ୍ଚଳକୁ ଘେରି ଖାନତଲାସୀ କରୁଥିବା ବେଳେ ହାଉର ମିଶିପୋରା ଗାଁ ନିକଟରେ ପ୍ରତିବାଦକାରୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ଫିଙ୍ଗିଥିଲେ। ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ ପଥର ଫିଙ୍ଗାଳିମାନେ ଅଟକି ନ ଥିଲେ।  ଲଗାତର ଭାବେ ପଥର ଫିଙ୍ଗିବା ଜାରି ରହିବାରୁ  ନିଜ ସୁରକ୍ଷା ପାଇଁ ସୁରକ୍ଷା କର୍ମୀମାନେ ଗୁଳି ଚାଳନା କରିଥିଲେ। ଏହି ଗୁଳିଚାଳନାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଘଟଣାସ୍ଥଳରେ  ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର